ଓଡିଶା ବିରୋଧୀ ମନୋଭାବ ଯୋଗୁଁ ଲଗାତାର ହାରୁଛି ବିଜେପି: ବିଜେଡି

ଭୁବନେଶ୍ୱର : ୨୦୧୮ରେ ମହାନଦୀ ପ୍ରସଙ୍ଗ ଦେଖିବାକୁ ମିଳିଥିଲା। ଛତିଶଗଡ଼ର ବିଜେପି ସରକାର ମହାନଦୀ ଉପରେ ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରୁଥିଲେ। ୨୦୧୮ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଜଣେ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ସେତେବେଳେ ଓଡ଼ିଶା ସପକ୍ଷରେ ତଥା ଛତିଶଗଡ଼ରେ ବିଜେପି ସରକାରଙ୍କ ବେଆଇନ କାର୍ଯ୍ୟ ବିରୋଧରେ କହିବା ପରିବର୍ତ୍ତେ ଛତିଶଗଡ଼ର ବିଜେପି ସରକାରଙ୍କ ପକ୍ଷ ରଖିଥିଲେ, କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ତତ୍‌କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେ ମଧ୍ୟ ଓଡ଼ିଶା ବିରୋଧରେ ପକ୍ଷ ରଖିଥିଲେ। ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଜେପି ସରକାର ଓ ଛତିଶଗଡ଼ର ପକ୍ଷ ରଖିଥିଲେ ଏବଂ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଥିଲେ। ଓଡ଼ିଶା ଯେତେବେଳେ ମହାନଦୀ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସ୍ଥିର କଲା ଓ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା, ସେତେବେଳେ ଓଡ଼ିଶା ବିଜେପି ଏହାକୁ ବିରୋଧ କରି ଓଡ଼ିଶା ବିରୋଧୀ ମାନସିକତାକୁ ପ୍ରମାଣ କଲେ। ଯେଉଁଥିପାଇଁ ସବୁ ନିର୍ବାଚନରେ ଜନସାଧାରଣ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ। ରାଜନୈତିକ ଦୃଷ୍ଟିରୁ ଲାଭ ଥି‌ଲେ କେନ୍ଦ୍ରରେ ଥିବା ବିଜେପି ଓଡ଼ିଆ ମନ୍ତ୍ରୀମାନେ ଓଡ଼ିଶାକୁ ଅଧିକ କ୍ଷତି ପହଞ୍ଚାଇବାକୁ ପଛାଇ ନଥା’ନ୍ତି। ଏଇଥିପାଇଁ ବିଜେପି ଲଗାତାର ହାରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।