ମେଟ୍ରୋ ଓଡିଶା (୨୮.୩.୨୦୨୨) :
ଆଜି ଓ ଆସନ୍ତାକାଲି ଦେଶବ୍ୟାପୀ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଦିଲ୍ଲୀରେ ଟ୍ରେଡ ସଙ୍ଗଠନ ଗୁଡିକ ରବିବାର ଏ ସଂପର୍କରେ ବୈଠକ କରି ଆନ୍ଦୋଳନର ପ୍ରସ୍ତୁତ କରିଥିବା ସୂଚନା ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ମଚାରୀ ସଙ୍ଗଠନ ଗୁଡିକ ଏହାକୁ ସମର୍ଥନ ଜଣାଇଛନ୍ତି। ବିଶେଷକରି ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଗୁଡିକ ଧର୍ମଘଟରେ ସାମିଲ ହୋଇଥିବାରୁ ଦୁଇଦିନ ଧରି ବ୍ୟାଙ୍କ ସେବା ପ୍ରଭାବିତ ହେବ। ଧର୍ମଘଟକୁ ସଫଳ କରିବାକୁ ଦେଶର ୧୦ଟି ଟ୍ରେଡ ସଙ୍ଗଠନର କର୍ମକର୍ତ୍ତା ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ଆଦିକୁ ବିରୋଧ କରାଯାଇଛି। କେନ୍ଦ୍ର ସରକାର ନୂତନ ଶ୍ରମକୋଡ ଲାଗୁ କରି ସାଧାରଣ ଶ୍ରମିକଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି ସଙ୍ଗଠନ ଅଭିଯୋଗ କରିଛି।

ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ପରିବହନ ବିଭାଗ କର୍ମଚାରୀଙ୍କ ସଂଘ, ବୀମା କର୍ମଚାରୀ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ, ଦୂରସଞ୍ଚାର କର୍ମଚାରୀ, ଆୟକର ବିଭାଗ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନରେ ବ୍ୟାଙ୍କ ସଙ୍ଗଠନର କର୍ମଚାରୀମାନେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଧର୍ମଘଟକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହିଂସା ରୋକିବାକୁ ଗୁରୁତ୍ୱ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ଧର୍ମଘଟ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।

ଅନ୍ୟପଟେ ଭାରତ ବନ୍ଦ ସପକ୍ଷରେ ଗଲାନି ପେଟ୍ରୋଲିୟମ ଡିଲର ସହାସଂଘ। ମହାସଂଘ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିଛି । ଚାଲିଥିବା ଏହି ୨ ଦିନିଆ ଧର୍ମଘଟରେ ପେଟ୍ରୋଲିୟମ ଡିଲର ମହାସଂଘ ସାମିଲ ହୋଇନଥିବା କହିଛି । ତାହା ସହ ମହାସଂଘ ଆହୁରି ମଧ୍ୟ କହିଛି କି ଭୁବନେଶ୍ୱରରେ ପିକେଟିଂ ପାଇଁ ଆଜି ପ୍ରଥମାର୍ଦ୍ଧରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ କରାଯାଇଛି । ହେଲେ ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରହିବ । ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ପୂର୍ବ ପରି ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରହିଛି ବୋଲି ପେଟ୍ରୋଲିୟମ ଡିଲର ସହାସଂଘ ପକ୍ଷରୁ କୁହାଯାଇଛି ।