ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ

ଜାମିନ ପାଇଁ ଉଚ୍ଚ କୋର୍ଟକୁ ଯାଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗୁରୁବାର ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ଜାମିନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେବେଠାରୁ ସେ ଝାରପଡ଼ା ଜେଲରେ ଅଛନ୍ତି । ତେବେ ଆଜି ଅଚାନକ ଜେଲ ଡିଜି ସୁଶାନ୍ତ ନାଥ, ଝାରପଡ଼ା ଜେଲକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ଚର୍ଚ୍ଚାର ବିଷୟ ହୋଇଛି । ଗୁରୁବାର ରାତିରେ ଆତ୍ମସମର୍ପଣ କରିବା ପରେ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି ଝାରପଡ଼ା ଜେଲରେ ରଖିଛି ପୁଲିସ। ଆଜି ଅଚାନକ ଜେଲକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ତାଙ୍କୁ ଭେଟିଛନ୍ତି ଜେଲ ଡିଜି । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଖାରଜ ହେବା ପରେ, ଜଗନ୍ନାଥ ପ୍ରଧାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଶୁକ୍ରବାର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି ଜଗନ୍ନାଥ ପ୍ରଧାନ । ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଛି କମିସନରେଟ୍‌ ପୁଲିସ ।ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଲାଗିଥିବା ଦଫା
ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଗଭୀର ଆଘାତ,  ବେଆଇନ ଜନସମାବେଶ କରି ଅପରାଧ ଘଟାଇବା,  ଅପରାଧ ଷଡ଼୍‌ଯନ୍ତ୍ର ଓ ଅପରାଧ କରିବାରେ ସହାୟତା ଏବଂ  ଅପରାଧ ପାଇଁ ଉସୁକାଇବା ଓ ଆକ୍ରମଣ କରି ଘର ଭିତରକୁ ଅନଧିକାର ପ୍ରବେଶ  ଭଳି ଦଫା ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଲାଗିଛି । ବରିଷ୍ଠ ଆଇନଜୀବୀଙ୍କ ମତରେ, ଏବେ ଜାମିନ ପ୍ରଦାନ ତଳ କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।
ଗୁରୁବାର ରାତିରେ ଭୁବନେଶ୍ୱର ଡିସିପି ଅଫିସ ସାମ୍ନାରେ ନିଜ ସମର୍ଥକଙ୍କୁ ଧରି ରାତିରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଜଗନ୍ନାଥ ପ୍ରଧାନ କହିଥିଲେ, ସେ କୌଣସି ଦୋଷ କରିନଥିଲେ ବି ଲୋକଙ୍କ ସ୍ୱାର୍ଥ୍ୱ ଦୃଷ୍ଟିରୁ ଜେଲ ଯିବାକୁ ପ୍ରସ୍ତୁତ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ନିଜ ଦଳର ନେତାଙ୍କୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ।

ବୁଧବାର ଦଳୀୟ କାର୍ଯ୍ୟାଳୟକୁ ଡାକି ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା ପରେ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ବିଜେପି ରାଜ୍ୟ ସଭାପତି । ଓଏଏସ ସଂଘ ନିଜ ଜିଦରେ ଅଡ଼ିବସିବାରୁ ସରକାର ଓ ପ୍ରଶାସନ ମୁହିଁମୁହିଁ ହୋଇଥିଲେ । ଆଉ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରି ପରେ ଏହି ଅଚଳାବସ୍ଥା ହଟିଛି ।

Leave a comment