ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାରଗୁଡିକର ପୁନର୍ବିନ୍ୟାସ କରାଯାଇଛି। ସୋମବାର ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହି ନୂତନ ପୁରସ୍କାର ଆଜିଠାରୁ ହିଁ ଲାଗୁ ହୋଇଛି।
ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ପୁରସ୍କାର ଯୁଗ୍ମ ଭାବେ ପାଇଛନ୍ତି କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’। ଉଭୟଙ୍କୁ ମିଳିତ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।
ପୁରସ୍କାର ପୁନର୍ବିନ୍ୟାସ
ମାର୍ଚ୍ଚ ୨୧ ବିଶ୍ୱ ବନ ଦିବସ, ଜୁନ୍ ୫ ବିଶ୍ୱ ପରିବେଶ ଦିବସ, ଜୁଲାଇ ମାସରେ ବନ ମହୋତ୍ସବ ସପ୍ତାହ ପାଳନ ଏବଂ ଅକ୍ଟୋବର ମାସରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ। ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ କର୍ମଚାରୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷମାନଙ୍କୁ ପୁରସ୍କାର ଦିଆଯାଏ। ଯେହେତୁ ଏହା ଏକ ସାମାଜିକ ଦାୟିତ୍ୱ ତେଣୁ ଏଥିରେ ସମସ୍ତଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହିସବୁ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ କରିଛନ୍ତି। ଅନେକ ପୁରସ୍କାରର ସଂଖ୍ୟା ଓ ପୁରସ୍କାର ରାଶି ପରିମାଣ ମଧ୍ୟ ବୃଦ୍ଧି ହୋଇଛି। ଏହି ସମସ୍ତ ପୁରସ୍କାର ଆଜିଠାରୁ କାର୍ଯ୍ୟକାରୀ କରାଯାଉଛି। ଏହି ପୁରସ୍କାରଗୁଡିକ ହେଉଛି-
ବିଶ୍ୱ ବନ ଦିବସ (ମାର୍ଚ୍ଚ ୨୧)
• ବନ ବିଭାଗର କ୍ଷେତ୍ର କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ବନ ପୁରସ୍କାର- ଏଥିରେ ୪ଜଣ ଫରେଷ୍ଟ ରେଞ୍ଜର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ଫରେଷ୍ଟ ଗାର୍ଡଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସମସ୍ତଙ୍କୁ ମାନପତ୍ର, ମେଡାଲ ସହିତ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ।
• ବନୀକରଣ କିମ୍ବା ବୃକ୍ଷରୋପଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର- ଏଥିରେ ପ୍ରତ୍ୟେକ ସବ୍ଡିଭିଜନ୍ର ଗୋଟିଏ ଶିକ୍ଷାନୁଷ୍ଠାନକୁ ୧୦ ହଜାର ଟଙ୍କା ଏବଂ ପ୍ରତ୍ୟେକ ସବଡିଭିଜନର ଗୋଟିଏ ଗ୍ରାମପଞ୍ଚାୟତକୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ।
ବିଶ୍ୱ ପରିବେଶ ଦିବସ (ଜୁନ ୫)
• ପ୍ରକୃତି ମିତ୍ର ପୁରସ୍କାର-ଏଥିରେ ପ୍ରତ୍ୟେକ ବ୍ଲକର ଗୋଟିଏ ଗ୍ରାମ, ଗୋଟିଏ ଶିକ୍ଷାନୁଷ୍ଠାନ କିମ୍ବା ଗୋଟିଏ ପଞ୍ଜିକୃତ ସଂସ୍ଥାକୁ ଉଲ୍ଲେଖନୀୟ କାମ ପାଇଁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ।
• ପ୍ରକୃତି ବନ୍ଧୁ ପୁରସ୍କାର- ଏଥିରେ ପ୍ରତ୍ୟେକ ବ୍ଲକର ଜଣେ ବ୍ୟକ୍ତିକୁ ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ।
ବନ ମହୋତ୍ସବ ସପ୍ତାହ (ଜୁଲାଇ ପ୍ରଥମ ସପ୍ତାହ)
ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର- ଏଥିରେ ବନ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗୋଟିଏ ବନ ସୁରକ୍ଷା ସମିତିକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ପ୍ରମାଣପତ୍ର ସହିତ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହା ସହିତ ପ୍ରତ୍ୟେକ ସବଡିଭିଜନରେ ମଧ୍ୟ ଗୋଟିଏ ଲେଖାଏଁ ବନ ସୁରକ୍ଷା ସମିତିକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ।
ବନ୍ୟ ପ୍ରାଣୀ ସପ୍ତାହ(ଅକ୍ଟୋବର ମାସ)
ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର- ଏଥିରେ ବନ୍ୟ ପ୍ରାଣୀ ଓ ଜୈବ-ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଗୋଟିଏ ସାର୍ଟିଫିକେଟ୍ ଓ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ସବଡିଭିଜନସ୍ତରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗୋଟିଏ ସାର୍ଟିଫିକେଟ ଓ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।