ଆଜିଠାରୁ ଆରମ୍ଭ ବିଧାନସଭା ବଜେଟ ଅଧିବେଶନ,ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ତିଆରି କରିଛନ୍ତି

ବିଧାନସଭା ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆରମ୍ଭରୁ ବିଧାନସଭା ସରଗରମ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ତିଆରି କରିଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ଶାଣିତ ସ୍ବର ଓ ଶାସକ ଦଳ ବିରୋଧୀଙ୍କୁ ସମ୍ମୁଖୀନ ହେବା ନେଇ ଗୃହ କମ୍ପିବ। ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ଥିବାବେଳେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ଆଶଙ୍କା ରହିଛି। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି। ବିରୋଧୀ ଗୃହ କାର୍ଯ୍ୟ ଚଳାଇବାରେ କେତେଦୂର ସହଯୋଗ କରୁଛନ୍ତି ଏବଂ ବାଚସ୍ପତି ଶ୍ରୀମତୀ ପାଢ଼ୀ କିପରି ଗୃହକାର୍ଯ୍ୟ ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୭ରୁ ୨୪ ଯାଏ, ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ପର୍ଯ୍ୟନ୍ତ ଚାଲିବ। ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି ଗୃହରେ ଅଭିଭାଷଣ ରଖିବେ। ଫେବୃଆରୀ ୨୦ରେ ଆର୍ଥିକ ବର୍ଷ ୨୦୨୬-୨୭ଲାଗି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ ଉପସ୍ଥାପନ କରିବେ।
ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ପରବର୍ତ୍ତୀ ଦୁଇଦିନ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଫେବୃଆରୀ ୨୦ରେ ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ।

କ୍ରମାଗତ ତୃତୀୟଥର ପାଇଁ ଶ୍ରୀ ମାଝୀ ବିଧାନସଭାରେ ବାର୍ଷିକ ବଜେଟ ଆଗତ କରିବେ। ବର୍ଷକୁ ବର୍ଷ ବଜେଟ ପରିମାଣ ବୃଦ୍ଧି ପାଉଥିବାରୁ ଆର୍ଥିକବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ସରକାରଙ୍କ ବଜେଟ ଆକାର ୩ ଲକ୍ଷ ୨୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହୋଇପାରେ। ଚଳିତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ହାତରେ ମାଳମାଳ ପ୍ରସଙ୍ଗ ରହିଛି। ଧାନ ସଂଗ୍ରହ ଓ ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ, ବେକାରୀ, ୟୁଜିସି ନୂଆ ନିୟମ, ମିଲର୍ସ ଓ ସରକାରଙ୍କ ସଲାସୁତରା ଓ ଅଙ୍ଗନବାଡ଼ିରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଅନ୍ୟପଟେ ଗୃହରେ ବିରୋଧୀଙ୍କୁ ଠିକଣା ଜବାବ ଦେବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି।

ଫେବୃଆରୀ ୨୩ ଏବଂ ୨୪ରେ ବଜେଟ ଉପରେ ସାଧାରଣ ଆଲୋଚନା ଥିବାବେଳେ ୨୫ ତାରିଖରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବିଧାନସଭା କାର୍ଯ୍ୟ ବନ୍ଦ ରହିବ। ମାର୍ଚ୍ଚ ୯ରୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୮ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ବିଭାଗ ପାଇଁ ବଜେଟ ବ୍ୟୟବରାଦ ଉପରେ ବିସ୍ତୃତ ଆଲୋଚନା ହେବ। ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୨ଟି କାର୍ଯ୍ୟ ଦିବସ ରହିଛି। ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବାର କାର୍ଯ୍ୟକ୍ରମ ରହିଛି।

Leave a comment