ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ , ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି,ମିଳିଲା ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ
ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି । ବରମୁଣ୍ଡା ଯାଏଁ ଘୋଷାଡ଼ି ନେଲା ଆଉ ଏକ ଗାଡ଼ି । ଦୁର୍ଘଟଣା ଥିଲା ଭୟଙ୍କର । ଦେଖିଥିଲେ ଛାତି ଥରିଉଠିଥାନ୍ତା । ବରମୁଣ୍ଡା ବସ୍ଷ୍ଟାଣ୍ଡ ସମ୍ମୁଖରୁ ମିଳିଲା ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧାରୁ ଏକ ଲୁନା ଗାଡ଼ିରେ ମାମୁଁ-ଭଣଜା ଭୁବନେଶ୍ବର ସ୍ଥିତ ମାଛ ମାର୍କେଟ୍କୁ ଆସୁଥିଲେ । ପ୍ରାୟ ଭୋର ୪ଟା ସମୟରେ ପ୍ରବଳ ବର୍ଷା ହେବାରୁ ଉଭୟ ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଠିଆ ହୋଇଥିଲେ । ସେହି ସମୟରେ ଯେମିତି ଦ୍ରୁତ ଗତିରେ ମାଡ଼ି ଆସିଥିଲା କାଳ । ଘଟିଥିଲା ଭୟାନକ ଛାତିଥରା ଦୁର୍ଘଟଣା । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଉଭୟଙ୍କୁ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ମାମୁଁ କଷ୍ଟେମଷ୍ଟେ ଘୁଷୁଡ଼ି ଘୁଷୁଡ଼ି ରାସ୍ତା କଡ଼କୁ ଚାଲିଆସିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ପାଣିରେ ପଡ଼ିଥିବା ଭଣଜା ଆଉ ଉଠିପାରି ନଥିଲେ । ପଛରୁ ଆସୁଥିବା ଅନ୍ୟ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ବରମୁଣ୍ଡା ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ମୃତଦେହକୁ ଛାଡ଼ି ଛକ ନିକଟରେ ପକାଇ ଚାଲିଯାଇଥିଲା । ମୃତ ଭଣଜାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି ।
ତେବେ ମିଳିଥିବା ସୂଚନା ଅନୁସାରେ, ମୃତକ ମାମୁଁ ହେଲେ ହାଡ଼ୁ ମଲ୍ଲିକ । ଆହତ ଭଜଣା କବି ମଲ୍ଲିକ । ଉଭୟ ଖୋର୍ଦ୍ଧା ବାଘମାରୀର ବୋଲି ଜଣାପଡିଛି । ମେଡିକାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଆଖପାଖ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।