ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ

ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ । ପୁରୁଣା ନିୟମରେ ହେବ ସଂଶୋଧନ; କ୍ୟାବିନେଟ୍ ଅନୁମୋଦନ ପରେ ବିଧାନସଭାକୁ ଆସିବ ବିଲ୍ । ଜମି କିଣାବିକା ଓ ଦଲିଲ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଏବଂ ଦ୍ରୁତ କରିବାକୁ ବଡ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଣିକି ପଞ୍ଜୀକରଣ ଦଲିଲକୁ ମାତ୍ର ଚାରି ପୃଷ୍ଠାରେ ସୀମିତ ରଖିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନକୁ ସମ୍ପୂର୍ଣ୍ଣ ପେପରଲେସ୍ କରିବାକୁ ଯୋଜନା କରାଯାଇଛି । ଏହି ଡିଜିଟାଲ୍ ବ୍ୟବସ୍ଥା ପ୍ରଚଳନ ପାଇଁ ବର୍ତ୍ତମାନର ପଞ୍ଜୀକରଣ ନିୟମ ଓ ରେଜିଷ୍ଟ୍ରେସନ ଆକ୍ଟରେ ଆବଶ୍ୟକ ସଂଶୋଧନ କରାଯିବ । ତେବେ ଏହି ପରିବର୍ତ୍ତନ ଏବେ ପ୍ରସ୍ତାବ ପର୍ଯ୍ୟାୟରେ ରହିଛି । ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିବା ପରେ ବିଧାନସଭାରେ ବିଲ୍ ଆଗତ କରାଯିବ ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ଏବଂ ଆବଶ୍ୟକ ଆଇନ ସଂଶୋଧନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଛି । ସମ୍ପୂର୍ଣ୍ଣ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ ହେଲେ ଲୋକଙ୍କୁ ଆଉ ବହୁ ପୃଷ୍ଠାର ଦଲିଲ ଧରି କାର୍ଯ୍ୟାଳୟ ବୁଲିବାକୁ ପଡ଼ିବ ନାହିଁ । କାଗଜପତ୍ରର ବ୍ୟବହାର କମିବା ସହ ପଞ୍ଜୀକରଣ ପ୍ରକ୍ରିୟାରେ ସମୟ ମଧ୍ୟ ବଞ୍ଚିବ । ଲୋକଙ୍କୁ ସ୍ୱଚ୍ଛ, ସୁବିଧାଜନକ ଏବଂ ଶୀଘ୍ର ସେବା ପ୍ରଦାନ ଲକ୍ଷ୍ୟରେ ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍ ପାଇଁ ସରକାର ପଦକ୍ଷେପ ନେଉଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Leave a comment