ବହିଷ୍କୃତ ହେଲେ ଏସସିବି ମେଡିକାଲର ଅଭିଯୁକ୍ତ ଡାକ୍ତର

କୋଲକତା ହରର ଘଟଣାରେ ସମଗ୍ର ଦେଶ ବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ କଟକ ଏସସିବି ମେଡିକାଲରେ ବି ଏମିତି  ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି ।ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ଏହି ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ ଡିଏମଇଟି। ଗତକାଲି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି |