ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀଙ୍କୁ 3S ଫର୍ମୂଲା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟ ସରକାର ଆଣିବେ ସୋସିଆଲ ମିଡିଆ ନୀତି ।  ମନିଟରିଂ ଜରିଆରେ ଲୋକଙ୍କ ମତାମତ ନିଆଯିବ। ସରକାରୀ ସୂଚନା ସେବା ବ୍ୟବସ୍ଥାରେ ସାମାଜିକ ଗଣମାଧ୍ୟମର ପ୍ରୟୋଗ ସୁଦୃଢ଼ ହେବ। ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଇଛନ୍ତି 3S ଫର୍ମୂଲା ।  ବିଜ୍ଞାପନ ପରିଚାଳନା ପାଇଁ ଇ-ସଞ୍ଚାର ଆପର ଶୁଭାରମ୍ଭ କରିଛନ୍ତି।

ସୋସିଆଲ ମିଡିଆରେ ଆଗେଇବାକୁ ହେବ ।  ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ।  ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇ ସୋସିଆଲ ମିଡିଆକୁ କିଭଳି ଅଧିକ ଫୋକସ କରିବାକୁ ହେବ ସେ ନେଇ ଦିଗଦର୍ଶନ ଦେଇଛନ୍ତି। ନକାରାତ୍ମକ ନୁହେଁ, ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। AI, ChatGPT ଭଳି ପ୍ରଯୁକ୍ତି ବିଦ୍ୟାର ଉପଯୋଗକୁ ଗୁରୁତ୍ବ ଦେଇଛନ୍ତି ।  ତେବେ ଏହାର ସଦୁପଯୋଗ ହେବା ଆବଶ୍ୟକ ବୋଲି କହିଛନ୍ତି ସିଏମ୍ ।

ସୋସିଆଲ ମିଡିଆ ଜରିଆରେ ଲୋକେ କଣ କହୁଛନ୍ତି, ସେମାନଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ସୂଚନା ସେବା ଅଧିକାରୀଙ୍କୁ ଦେଇଛନ୍ତି 3S ଫର୍ମୁଲା। ଖବର ସଠିକ୍, ଶୀଘ୍ର ଏବଂ ସରଳ ହେବା ଦରକାର। ସେହିପରି ଯୁବପିଢ଼ି, ବିଶେଷ କରି Gen-Z ଏବେ ସୋସିଆଲ ମିଡିଆରେ ବହୁ ଆଗରେ। ସେମାନଙ୍କୁ ଟାର୍ଗେଟ କରି ‘ଇମର୍ଜିଂ ଟ୍ରେଣ୍ଡ ଇନ୍ ସୋସିଆଲ ମିଡିଆ’ ଉପରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନା ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ ।  ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ସେମାନଙ୍କର ପ୍ରମୁଖ ଦାୟିତ୍ୱ ।  ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାରେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଅବସରରେ ସରକାରୀ ବିଜ୍ଞାପନ ବ୍ୟବସ୍ଥାରେ ଶତପ୍ରତିଶତ ପାରଦର୍ଶିତା ଆଣିବା ଲକ୍ଷ୍ୟରେ ‘ଇ-ସଞ୍ଚାର’ ଆପ୍ ର ଶୁଭାରମ୍ଭ କରାଯାଇଛି ।

Leave a comment