ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଶେଷରେ ଆସିଛି ବଡ଼ ରାୟ ,ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ
ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଶେଷରେ ଆସିଛି ବଡ଼ ରାୟ। ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ଅଦାଲତ ସୋମବାର ମୁଖ୍ୟ ଅଭିଯୁକ୍ତଙ୍କୁ କଡ଼ା ସଜା ଶୁଣାଇଛନ୍ତି। ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) ଏହି ବଡ଼ ରାୟ ଶୁଣାଇବା ସହ ରାକେଶ ଉପରେ ୧ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ସଜା କାଟିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଏହି ଜଘନ୍ୟ ହତ୍ୟାକାଣ୍ଡରେ ରାକେଶକୁ ସହଯୋଗ କରିଥିବା ତାର ସହଯୋଗୀ ଅମରେଶ ରାଉତକୁ ମଧ୍ୟ କୋର୍ଟ ସଜା ଶୁଣାଇଛନ୍ତି। ପ୍ରମାଣ ନଷ୍ଟ ଏବଂ ଅପରାଧରେ ସହଯୋଗ କରିବା ଅଭିଯୋଗରେ ଅମରେଶକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ।
କ’ଣ ଥିଲା ପୂରା ଘଟଣା?
ସୂଚନାଥାଉକି, ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିଲା ଏହି ହୃଦୟବିଦାରକ ଘଟଣା। ପ୍ରେମ ଓ ପ୍ରତାରଣାର କଳା କାହାଣୀ ଭିତରେ ଝରାଫୁଲଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଥିଲା।
ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତମାନେ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ପ୍ରାୟ ୧୦୦ କିଲୋମିଟର ଦୂର ଯାଜପୁରକୁ ନେଇଯାଇଥିଲେ। ସେଠାରେ କୁଆଖିଆ ଥାନା ଅଞ୍ଚଳରେ ଥିବା ଏକ ନିଛାଟିଆ ରାସ୍ତା କଡ଼ରେ ଶବକୁ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ। ତେବେ ରାସ୍ତା କଡ଼ରୁ ମୃତଦେହ ମିଳିବା ପରେ ପୋଲିସ ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ତଥ୍ୟକୁ ଆଧାର କରି ଘଟଣାର ପର୍ଦ୍ଦାଫାଶ କରିଥିଲା।
ତେବେ ଏହି ସମ୍ବେଦନଶୀଳ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଥିଲା। ପୋଲିସ କଡ଼ା ଚାର୍ଜସିଟ୍ ଏବଂ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଶୁକ୍ରବାର ଏହି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। କୋର୍ଟଙ୍କ ଏହି ଶୁଣାଣି ପରେ ଝରାଫୁଲଙ୍କ ପରିବାରକୁ ଦୀର୍ଘ ଦିନ ପରେ ନ୍ୟାୟ ମିଳିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।