ଭୁବନେଶ୍ବରରେ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବରରେ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ ସୁରକ୍ଷା ଓ ସବୁଜବଳୟ ସୃଷ୍ଟିରେ ଓଡ଼ିଶା ଦେଶରେ ତୃତୀୟ । ଗତ ଦୁଇ ବର୍ଷରେ ଓଡ଼ିଶାରେ ୫୫୮ ବର୍ଗ କିଲୋମିଟର ବନ ଆବରଣ ବୃଦ୍ଧି କରାଯାଇଛି । ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରିପୂରକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ପାଇଁ ‘ଆମ ଜଙ୍ଗଲ ଯୋଜନା’ରେ ୧,୪୮୮ କୋଟିର ଜୀବିକା ଭିତ୍ତିକ କାର୍ଯ୍ୟକ୍ରମ କରାଯାଇଛି । ନଦୀକୂଳରେ ସୃଷ୍ଟି ହେବ ସବୁଜ ବଳୟ ।

ମହାନଦୀ ସହ ୭ ପ୍ରମୁଖ ନଦୀ ପାର୍ଶ୍ୱରେ ଲଗାଯିବ ଲକ୍ଷ ଲକ୍ଷ ଚାରା । ବଜ୍ରପାତରୁ ସୁରକ୍ଷା ପାଇଁ ଗତ ଆର୍ଥିକ ବର୍ଷରେ ଲଗାଗଲା ୧୭.୯୦ ଲକ୍ଷ ତାଳ ଗଛ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାମ୍ପା (CAMPA) ଯୋଜନାରେ ଆସନ୍ତା ବର୍ଷ ପାଇଁ ୨୦,୫୬୨ ହେକ୍ଟରରୁ ଅଧିକ ଜଙ୍ଗଲ ଜମିରେ ବୃକ୍ଷରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜୁଲାଇ ୧ ତାରିଖରୁ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଏକ ନୂତନ ଯୋଜନା ‘ବିକଶିତ ଭାରତ – ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ କାର୍ଯ୍ୟକାରୀ ହୋଇଛି, ଯାହା ବୃକ୍ଷରୋପଣ ସହ ଲୋକଙ୍କୁ ରୋଜଗାରକ୍ଷମ କରିବ।

ଏହି ଅବସରରେ ଜଙ୍ଗଲ ସୁରକ୍ଷା ଓ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଗୁଳର ‘ଜେରେଙ୍ଗ ବୁଧିପାହାଡ଼ ବନ ସୁରକ୍ଷା ସମିତି’ ଏବଂ ମୟୂରଭଞ୍ଜର ‘ଗୁଡ଼ଗୁଡ଼ିଆ ପରିବେଶ ବିକାଶ ସମିତି (ଇଡିସି)’ କୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।

Leave a comment