ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି

ରାଜ୍ୟରେ ୭୦ଟି ମଦ ଦୋକାନ ବନ୍ଦ ରହିଥିଲା। ଏହାକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ବାଲେଶ୍ୱରରେ ସର୍ବାଧିକ ୧୭ ମଦ ଦୋକାନ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମରେ ୧୦, ବଲାଙ୍ଗୀର ୨, ବ୍ରହ୍ମପୁର ୪, କଟକ ୭, କନ୍ଧମାଳ ୩, କେନ୍ଦୁଝର ୩, ମାଲକାନାଗିରି ୧, ମୟୂରଭଞ୍ଜ ୮, ନୟାଗଡ଼ ୯, ରାଉରକେଲା ୫ ଏବଂ ସମ୍ବଲପୁରର ଗୋଟିଏ ମଦ ଦୋକାନ ବନ୍ଦ ରହିଛି। ଏସବୁକୁ ଖୋଲିବା ପାଇଁ ଅବକାରୀ ବିଭାଗ ଅନୁମତି ପ୍ରଦାନ କରିଥିବା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଗୃହରେ ସୂଚନା ଦେଇଛନ୍ତି।
ଭାଜପା ସଦସ୍ୟ ଅଖିଳ ଚନ୍ଦ୍ର ନାଏକ ଶନିବାର ବିଧାନସଭାରେ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ହରିଚନ୍ଦନ ଏହି ଉତ୍ତର ରଖିବା ସହ ଆହୁରି କହିଛନ୍ତି, ଏହାବାଦ୍‌ ରାଜ୍ୟରେ ଆଉ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ଅଛି। ଖୋଲିବାକୁ ଥିବା ୩ଟି ମଦ କାରଖାନା ମଧ୍ୟରୁ ୨ଟି ଢେଙ୍କାନାଳ ଏବଂ ଗୋଟିଏ କଟକରେ ଖୋଲିବ। କଟକଠାରେ ଅଭିରା ଡିଷ୍ଟିଲେରି ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଢେଙ୍କାନାଳରେ ଇନ୍‌ଡାଲକ ସ୍ପିରିଟ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ପିଆଣ୍ଡଏ ବଟଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ମଦ କାରଖାନା ଖୋଲାଯିବ।

Leave a comment