୫ମାସରେ ୫୦୯ଟି ଦୁଷ୍କର୍ମ, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ

ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତବର୍ଷ ଜୁନ୍ ୧୦ ତାରିଖରୁ ନଭେମ୍ବର ୨୨ତାରିଖ ଭିତରେ ମହିଳା ବିରୋଧୀ ହିଂସାର ଏସବୁ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅବଧି ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୭୫୩, ଭୁବନେଶ୍ବରରେ ୬୩୮,କଟକ ଅର୍ବାନ ଓ ଗ୍ରାମାଞ୍ଚଳରେ ୬୯୧ଟି ମାମଲା ରୁଜୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ଭଦ୍ରକ କେନ୍ଦୁଝରରେ ୧୧ଜଣ ଲେଖାଏ, ଗଞ୍ଜାମରେ ୧୦ଜଣ ଓ ନୟାଗଡ଼ରେ ମହିଳାଙ୍କୁ ହତ୍ୟା ଜନିତ କୌଣସି ମାମଲା ରୁଜୁ ହୋଇନାହିଁ। ସେହିପରି ଯୌତୁକ ଜନିତ ମୃତ୍ୟୁ ମାମଲାରେ ବାଲେଶ୍ବରରେ ସର୍ବାଧିକ ୫ଜଣ ମହିଳା ପ୍ରାଣ ହରାଇଛନ୍ତି। ଭଦ୍ରକ ୪ ଓ କଟକ ଗ୍ରାମାଞ୍ଚଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏ ସଂପର୍କିତ ପ୍ରଶ୍ନ କରିଥିଲେ |