ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରକୁ ଆକର୍ଷଣୀୟ ରୂପ ଦେବାକୁ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ କରିବା ନିମନ୍ତେ ରାଜ୍ୟ ସରକାର ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୩ରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ୱାରୋପ କରୁଛନ୍ତି। ଏହାକୁ ଅତ୍ୟନ୍ତ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ବିଶ୍ୱରେ ଓଡ଼ିଶାର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ବିଶେଷକରି ସହରର ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଭୁବନେଶ୍ବରର ସ୍ବଚ୍ଛତା ଅନ୍ତର୍ଜାତୀୟସ୍ତରର ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଏହି ଉତ୍ସବ ସହିତ ସ୍ଥାନୀୟ ଲୋକଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ସେ କହିଛନ୍ତି। ସମୀକ୍ଷାରୁ ଜଣାଯାଇଛି, ପ୍ରଥମ ଦିନ ଜାନୁଆରୀ ୮ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ରେ ରାଷ୍ଟ୍ରପତି ଏଥିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।