ଓଡ଼ିଶା ଛାଡ଼ିବାକୁ 12 ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ

ଓଡ଼ିଶାରେ ଆଉ ପାକିସ୍ତାନୀ ନାଗରିକ ରହିପାରିବେ ନାହିଁ। ସେମାନଙ୍କୁ ରାଜ୍ୟର ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଜମ୍ମୁ କଶ୍ମୀରର ପହଲଗାମରେ ଗତ ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଓଡ଼ିଶାରୁ ୨ ଜଣଙ୍କ ସମେତ ମୋଟ୍‌ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଥିଲେ।

ଭାରତ ସରକାର ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମ ଆତଙ୍କବାଦୀ ଘଟଣା ପରେ ଭାରତରେ ବସବାସ କରୁଥିବା ପାକିସ୍ତାନୀମାନଙ୍କୁ ନିଜ ଦେଶ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି।

ପହଲଗାମ୍‌ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ତଟରକ୍ଷୀ ବାହିନୀ ସତର୍କ ହୋଇଯାଇଛନ୍ତି। ସମୁଦ୍ରତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଓ ତଟରକ୍ଷୀ ବାହିନୀ ସଜାଗ ଅଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଆଳ ଦେଖାଇ ରାଜ୍ୟରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି।

 

Leave a comment