୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ କରି ପୋଡି ମାରିଦେଲେ

ଝାରସୁଗୁଡ଼ାରୁ ଅପହରଣ କରି  ନାବାଳକ ସମର୍ଥ ଅଗ୍ରୱାଲ (୧୫)ଙ୍କୁ ପୋଡି ମାରିଛନ୍ତି ଅପରାଧୀ ।  ମୃତଦେହକୁ ପୁଲିସ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିବା ପରେ ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହା ନମିଳିବାରୁ ନାବାଳକକୁ ହତ୍ୟା କରି ପୋଡ଼ି ଦେଇଥିଲେ। ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ସୋମବାର ସନ୍ଧ୍ୟା ସାଢ଼େ ୫ଟାରେ ସରବାହାଲ ହାଇସ୍କୁଲ ପଡ଼ିଆକୁ ଖେଳିବା ପାଇଁ ଯାଇଥିଲା ବେଳେ ବିଳମ୍ବିତ ସନ୍ଧ୍ୟା ଯାଏଁ ନାବାଳକ ଘରକୁ ଫେରି ନଥିଲା।  ରାତି ପ୍ରାୟ ସାଢ଼େ ୮ଟାରେ ‌ଦୁର୍ବୃତ୍ତମାନେ ଅପହରଣ କରିଥିବା ନେଇ ପରିବାର ଲୋକଙ୍କୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଫୋନ୍‌ କରିଥିବା ଦୁର୍ବୃତ୍ତମାନେ କହିଥିଲେ ଯେ, ୫୦ ଲକ୍ଷ ଟଙ୍କା ମିଳିଲେ ପୁଅକୁ ଜୀବିତ ଅବସ୍ଥାରେ ପାଇପାରିବେ।