ମେଟ୍ରୋ ଓଡିଶା (୧୫.୪.୨୦୨୨ )
ମହାବିଷୁବ ସଂକ୍ରାନ୍ତି ତଥା ହିନ୍ଦୁ ନବବର୍ଷରୁ ରାଜ୍ୟରେ ବଢିଛି ଗ୍ରୀଷ୍ମପ୍ରବାହ। ସୂର୍ଯ୍ୟଙ୍କ ଚଳନ ପରିବର୍ତ୍ତନ ଯୋଗୁଁ ପ୍ରଚଣ୍ଡ ରୌଦ୍ରତାପ ଏବେ ଅଧା ଓଡ଼ିଶାକୁ ସିଝାଉଛି। ଏହିକ୍ରମରେ ଗୁରୁବାର ଦେଶରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ପଶ୍ଚିମ ଓଡ଼ିଶାର ନଦୀକୂଳ ସହର ସୁବର୍ଣ୍ଣପୁର। ଏଠାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ଲହରୀ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି। ଗୁରୁବାର ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିଛି। ୧୬ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଗତକାଲି ଝାରସୁଗୁଡାରେ ପାରଦ ୪୪ ଡିଗ୍ରୀ ଉପରେ ଥିବାବେଳେ ଆଜି ସୁବର୍ଣ୍ଣପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଛି। ଯାହାକି ଦେଶ ତଥା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୁବର୍ଣ୍ଣପୁର ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଫଳ ସ୍ୱରୂପ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକ ମଧ୍ୟ ଅଧିକ ତାତିବ। ବିଶେଷକରି ଏବେ ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା ଓ ବାରିପଦାରେ ତାପମାତ୍ରା ଅଧିକ ରହୁଛି। ନୟାଗଡ ଜିଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇଛି। ଜିଲାରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରୁ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ହଳଦିଆ ସତର୍କ ସୂଚନା ଜାରି କରିଛି। ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କାଳବୈଶାଖୀ ଜନିତ ବଜ୍ରପାତ ଏବଂ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପକ୍ଷରୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।