ଶୂନ୍ୟକାଳରେ ଉଠିଲା ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଶୂନ୍ୟକାଳରେ ହୋ ହାଲ୍ଲା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଚାଷୀଙ୍କ ପାଇଁ ସମସ୍ତେ ଯଦି କାନ୍ଦୁଛନ୍ତି ତେବେ ଚାଷୀ ଦୁଃଖରେ କାହିଁକି ଅଛନ୍ତି । ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ କରୁଛନ୍ତି ତେବେ ଚାଷୀଙ୍କ ଅସୁବିଧା କେଉଁଠି ରହିଲା। ଚାଷୀ କାହିଁକି ରାଜରାସ୍ତାରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଉଛନ୍ତି । ସେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ଉଭୟ ଦଳ ଚାଷୀଙ୍କ ଜୀବନ ସହ ଖେଳୁଥିବାରୁ ଚାଷୀ ଆଜି ଦୁର୍ଦିନରେ ଥିବା ନରସିଂହ କହିଛନ୍ତି । ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଆସୁନାହାଁନ୍ତି । ସବୁ ଦଳକୁ ନେଇ ଆଲୋଚନା କରିବାକୁ ସେ କହିଛନ୍ତି । ଏଥିପାଇଁ ଆଇନ ଆସୁ, ନଚେତ୍ ଖାଲି ପଦ୍ମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବନି ବୋଲି କହିଛନ୍ତି ନରସିଂହ ମିଶ୍ର । ଏହା ସହ ରାଜ୍ୟ ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ଯେ କେନ୍ଦ୍ର ନ ଦେଲେ ରାଜ୍ୟ ସରକାର ଏମଏସପି ୨୯୩୦ ଟଙ୍କାକୁ କାହିଁକି ଲାଗୁ କରୁନାହାଁନ୍ତି । ଖାଲି ରାଜନୀତି ପାଇଁ ଏପରି କଲେ ଚାଷୀଙ୍କ ଉପକାର ହେବନି ବୋଲି କହିଛନ୍ତି ନରସିଂହ ମିଶ୍ର ।