ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ଜଣେ କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ।
ସୂଚନାଯୋଗ୍ୟ, ଜଣେ କ୍ରସର୍ ମାଲିକଙ୍କୁ ହଇରାଣ ନ କରିବାକୁ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହେଇଥିଲା। ମୂଲଚାଲ ପରେ ଗତକାଲି ପ୍ରଥମ କିସ୍ତି ବାବଦକୁ ୧୦ ଲକ୍ଷ ଟଙ୍କା ନେବାବେଳେ ରାଜ୍ୟ ଭିଜିଲାନ୍ସ ସେଲ ଉପଜିଲ୍ଲାପାଳ ଚକମାଙ୍କୁ ଧରିଥିଲା। ତାଙ୍କ ସରକାରୀ ବାସଭବନ ଖାନତଲାସ ବେଳେ ୪୭ ଲକ୍ଷ ୪୭ ହଜାର ୬୦୦ ଟଙ୍କା ଠାବ ହେଇଥିବା ରାଜ୍ୟ ଭିଜିଲାନ୍ସ ସେଲ ଏସପି ଏମ. ରାଧାକୃଷ୍ଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭିଜିଲାନ୍ସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ କରୁଛି।
ଚକମାଙ୍କ ଅନ୍ୟାନ୍ୟ ସମ୍ପତ୍ତି ସଂକ୍ରାନ୍ତରେ ତଦନ୍ତ ଚାଲିଥିବା ଜଣାପଡ଼ିଛି। ତେବେ ଲାଞ୍ଚ ଦେଇଥିବା କ୍ରସର ମାଲିକଙ୍କ ନାମ ଭିଜିଲାନ୍ସ ପ୍ରକାଶ କରୁନାହିଁ। ଅନ୍ୟପକ୍ଷରେ ତାଙ୍କ ସରକାରୀ ବାସ ଭବନରୁ ମିଳିଥିବା ୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କେଉଁଠୁ ଆସିଲା ସେନେଇ ଚକମା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବା ଜଣାପଡ଼ିଛି। ଏଣୁ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲା ରୁଜୁ ହେଇପାରେ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୧୯ରେ ଧିମାନ ଚକମା ଭାରତୀୟ ବନ ସେବାରେ ଯୋଗଦେଇ ବାରିପଦା ବନ ବିଭାଗରେ ଏସିଏଫ ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୨୧ରେ ଆଇଏଏସ ପାଇ ୨୯.୦୧.୨୦୨୪ରେ ଧର୍ମଗଡ ଉପଜିଲ୍ଲାପାଳ ଭାବେ ଯୋଗଦେଇଥିଲେ। ଗତବର୍ଷ ସ୍ଵାଧୀନତା ଦିବସ ପରେଡରେ ଖୋଲା ଜିପରେ ସ୍ତ୍ରୀଙ୍କ ସହିତ ପରେଡ ପରିଦର୍ଶନ କରି ଲୋକଲୋଚନକୁ ଆସିଥିଲେ।