ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ: ଶୁଭେଚ୍ଛା ପତ୍ର ଓ ସ୍ମାରକୀ ପ୍ରଦାନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ରାଇରଙ୍ଗପୁର:ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପବିତ୍ର ଜନ୍ମଦିବସ ଅବସରରେ ତାଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି କ୍ରମରେ ମୟୂରଭଞ୍ଜ ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି।
ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଏକ ସ୍ୱତନ୍ତ୍ର ଶୁଭେଚ୍ଛା ପତ୍ର ଏବଂ ସ୍ମରଣୀୟ ସ୍ମାରକୀ (Momento) ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଷ୍ଟ୍ରପତିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ କହିଛନ୍ତି ଯେ, ଶ୍ରୀମତୀ ମୁର୍ମୁଙ୍କ ସରଳତା, ନିଷ୍ଠା ଓ ଦେଶ ସେବା ସମଗ୍ର ଓଡ଼ିଶା ତଥା ଦେଶବାସୀଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଏଭଳି ଏକ ଶୁଭ ମହୂରତରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସେମାନଙ୍କ ପାଇଁ ବେଶ୍ ଗୌରବର ବିଷୟ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି।