ମୟୂରଭଞ୍ଜରେ ମହାମେଳି: ଗୋଟିଏ ମଞ୍ଚରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଓଡ଼ିଶାକୁ ମିଳିବ ୪୭,୬୦୦ କୋଟିର ଭେଟି

​ରାଇରଙ୍ଗପୁର:ମୟୂରଭଞ୍ଜ ପାହାଡ଼ପୁରରେ ଆଜି ଏକ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିବ। ଏକ ପ୍ରକାଣ୍ଡ ଜନସଭାରେ ଗୋଟିଏ ମଞ୍ଚରେ ଏକାଠି ଉପସ୍ଥିତ ରହିବେ ଦେଶର ଦୁଇ ଶୀର୍ଷ ନେତୃତ୍ୱ — ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଯୋଗ ଦେଇଛନ୍ତି।
​ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସ ହୋଇଥିବା ବେଳେ, ଏହି ମହାନ ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରାଜ୍ୟର ବିକାଶ ପାଇଁ ପ୍ରାୟ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ ପୁଞ୍ଜିନିବେଶ ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି।
​​ଏହା ସହିତ ରାଜ୍ୟ ସରକାରଙ୍କ ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେଲିବ୍ରେଟ୍ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
​ପାହାଡ଼ପୁରରୁ ଆରମ୍ଭ କରି ରାଇରଙ୍ଗପୁର ପର୍ଯ୍ୟନ୍ତ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଏବେ ଉତ୍ସବମୁଖର ହୋଇଉଠିଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ୍ କଡ଼ାକଡ଼ି କରାଯାଇଛି

Leave a comment