ହୋଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଶେଷରେ ହୋଡିଂ ଉପରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଚାରିଘଣ୍ଟା ଧରି ସେ  ଭୁବନେଶ୍ୱରର ଶିଶୁଭବନ ଛକରେ ରାଉରକେଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାକୁ ଦାବି କରି ପ୍ରତିବାଦ କରୁଥିଲେ । ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଶିଶୁ ଭବନ ଛକରେ ଏକ ହୋର୍ଡିଂ ଉପରେ ବସି ପ୍ରତିବାଦ କରୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାର ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ତାଙ୍କୁ ଭେଟିବାକୁ ଆସିଥିଲେ । ରାଉରକେଲାରୁ ଚାଲି ଚାଲି ଆସିଥିବା ମୁକ୍ତିକାନ୍ତ ୭ ଦିନ ବିତିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ । ସେଥିପାଇଁ ପ୍ରତିବାଦ କରି ସାକ୍ଷାତ ନମିଳିଲେ ଆତ୍ମାହୁତି ଦେବି ବୋଲି ମୁକ୍ତିକାନ୍ତ ହୋଡିଂ ଉପରେ ବସି କହୁଥିଲେ । ତାଙ୍କ ସହ ଫୋନରେ ପୋଲିସଙ୍କ ଠାରୁ ସମାଜସେବୀମାନେ କଥା ହୋଇଥିଲେ ମଧ୍ୟ ସେ ଓହ୍ଲାଇନଥିଲେ ।

ସୂଚନାଯୋଗ୍ୟ, ମୁକ୍ତିକାନ୍ତ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନଭେମ୍ବର ୧୬ରେ ଘରୁ ଚାଲି ଚାଲି ବାହାରିଥିଲେ । ଡିସେମ୍ବର ୧୬ରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ । ୨୦୧୩ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ସେଥିମଧ୍ୟରୁ ଆରଜିଏଚକୁ କ୍ୟାପିଟାଲ ହସ୍ପିଟାଲ ଭଳି ସୁବିଧା ଦେବା କଥା କହିଥିଲେ । କୋଏଲ ନଦୀରେ ରିଙ୍ଗ ରୋଡ ହେବ କହି ଶିଳାନ୍ୟାସ କରିଥିଲେ । ଏନେଇ ୨୦୧୮ ଅଗଷ୍ଟ ୧୯ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମୁକ୍ତିକାନ୍ତ ସେତେବେଳେ ମଧ୍ୟ ଏହା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ମୁକ୍ତିକାନ୍ତ ଏପରି ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ।