ମାତୃ ଦିବସରେ ମା କୁ ମିଳିଲାନି ଚାରିକାନ୍ଧ

ମାତୃ ଦିବସରେ ମା କୁ ମିଳିଲାନି ଚାରିକାନ୍ଧ

ମେଟ୍ରୋ ଟିଭି ଓଡିଶା (୯.୫.୨୦୨୨)

ବୌଦ୍ଧ ଜିଲା ବଲାଶିଙ୍ଗା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ଆଧୁନିକ ସମାଜରେ ସାଧାରଣ ମଣିଷଙ୍କ ମାନବିକତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ଜଣେ ନିରାଶ୍ରୟ ମାଆକୁ ମୃତ୍ୟୁ ପରେ ଜାତିଭାଇଙ୍କ ଚାରିକାନ୍ଧ ନମିଳିବା ଏବଂ ୧୮ ଘଣ୍ଟା ଧରି ଗ୍ରାମରେ ଶବ ପଡିରହିବା ଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ବୁଦ୍ଧଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ମୁତାବକ ବୌଦ୍ଧ ସହରଠାରୁ ମାତ୍ର ୪ କିଲୋମିଟର ଦୂର ଜାତୀୟ ରାଜପଥ କଡ ବଲାଶିଙ୍ଗା ଗ୍ରାମରେ ରହନ୍ତି ନିରାଶ୍ରୟା ବୃଦ୍ଧା ସୁଲଭ ପ୍ରଧାନ( ୭୨) । ସ୍ୱାମୀଙ୍କ ମୃତ୍ୟୁ ପରେ ଏକମାତ୍ର ଝିଅ ଜମ୍ବୁ ପ୍ରଧାନ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରି ମାଆକୁ ଏକୁଟିଆ ଛାଡି ଚାଲିଯାଇଥିଲେ । ନିରାଶ୍ରୟା ମା’ କିଏ ଦେଲେ ଖାଆନ୍ତି ନହେଲେ ଭୋକ ଉପବାସରେ କୁଡିଆରେ ପଡି ରହିଥାନ୍ତି । ଜାତି ଭାଇଙ୍କ ବିରୋଧ ଯୋଗୁ ଝିଅ ଇଚ୍ଛା ଥିଲେ ମଧ୍ୟ ମାଆ ପାଖକୁ ଆସି କେବେ ସେବା ଯତ୍ନ କରିପାରନ୍ତିନାହିଁ । ଗତକାଲି ରାତିରେ ବୃଦ୍ଧା ସୁଲଭଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ପରିବାରର କୌଣସି ସଦସ୍ୟ ନଥିବାରୁ ବୃଦ୍ଧା ସୁଲଭଙ୍କ ଶବ ସେହିପରି ପଡିରହିଥିଲା । ପ୍ରାୟ ୧୮ ଘଣ୍ଟା ଶବ ପଡି ରହିବାପରେ ଏହି ସୂଚନା ପାଇ ଝିଅ ଜମ୍ବୁ ପହଞ୍ଚିଥିଲା ବଲାସିଙ୍ଗା ଗ୍ରାମରେ । ହେଲେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିଭାଇ ମାଆ ସୁଲଭଙ୍କ ଶବକୁ ଛୁଇଁବାକୁ ଦେଇନଥିଲେ ଏକମାତ୍ର ଝିଅକୁ । ସତେ ଯେପରି ସଭ୍ୟ ସମାଜରେ କୁସଂସ୍କାରର ଅନ୍ଧପୁଟୁଳି ଭିତରେ ହଜିଯାଇଥିଲା ସମସ୍ତଙ୍କ ସାଧାରଣ ମାନବିକତା ।