ମେଟ୍ରୋ ଟିଭି ଓଡିଶା (୯.୫.୨୦୨୨)
ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବ୍ରଜରାଜନଗର ବିଧାୟକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବରେ ମନୋନୟନ କରିଛନ୍ତି ।

ତେବେ ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ସୂଚନା ଅନୁସାରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା ।
ସେହପରି ମେ’ ୭ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । କିଶୋର ପଟେଲଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି ।ତେବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ବିଜ୍ଞପ୍ତି ଅନୁସାରେ, ଚାରି ମେ’ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୧୭ରେ ପ୍ରତ୍ୟାହାରରେ ଶେଷ ଦିନ । ଏହାପରେ ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍ । ଜୁନ୍ ୩ରେ ଗଣତି ଓ ଫଳାଫଳ । ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିବା ପରେ ରାଜନୈତିକ ଗତିବିଧି ଜୋର ଧରିଛି । ବ୍ରଜରାଜନଗର ଉପ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ନିର୍ବାଚନ ପରିଚାଳନା ଲାଗି ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି ଆରମ୍ଭ କରିଛି ।