କାଳବୈଶାଖୀ ତାଣ୍ଡବ

କାଳବୈଶାଖୀ ତାଣ୍ଡବ

ମେଟ୍ରୋ ଓଡିଶା (୭ .୪.୨୦୨୨) :

ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲାରେ ତାପମାତ୍ରା ଜୀବନଯାତ୍ରାକୁ ପ୍ରଭାବିତ କରିଥିଲେ ମଧ୍ୟ ସେତେଟା ଯନ୍ତ୍ରଣାତିକ୍ତ ହୋଇନି। ତେବେ ପଶ୍ଚିମ ଓଡ଼ିଶାର ୬ ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ ୯ ଜିଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ଚଳିତବର୍ଷର ପ୍ରଥମ କାଳବୈଶାଖୀ ଓ ବଜ୍ରପାତ ଯୋଗୁଁ ଅକାଳରେ ଝଡିଛି ତିନି ତିନିଟି ଜୀବନ। ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଛି। ଏହିସବୁ ଜିଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ଓ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଛି। ତେବେ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ମାର୍ଦ୍ଦା ଗାଁରେ ମାଟିଆ ସାହିର ରସବତୀ ବେହେରାଙ୍କ ଉପରେ ଗଛ ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ସେହିପରି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଝରିଆଗୁଡା ଗ୍ରାମରେ ବଜ୍ରପାତ ଘଟି ଗୋଟିଏ ପରିବାରର ଜଣେ ମହିଳାଙ୍କ ଜୀବନ ଯାଇଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସେହିଭଳି ରାଜ୍ୟର ୧୦ ଜିଲାକୁ ଗୁରୁବାର ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। ୧୦ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏହି ୧୦ ଜିଲା ଗୁଡିକ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମାଲକାନଗରି, କୋରାପୁଟ, ନବରଙ୍ଗପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଆଦି ରହିଛି। ଗୁରୁବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ଏହିସବୁ ଜିଲାବାସୀ ସର୍ତକ ରହିବାକୁ ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ପ୍ରଭୃତି ୬ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖ ମଧ୍ୟାହ୍ନରୁ ୧୦ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ସେହିଦିନ ଅପରାହ୍ଣରୁ ପରଦିନ ସକାଳ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ପ୍ରଭୃତି ୪ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅନ୍ୟପକ୍ଷରେ ରାଜ୍ୟର ପଶ୍ଚିମାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମଙ୍ଗଳବାର ୪୦ ଡିଗ୍ରୀ ଉପରେ ୪ଟି ସହର ରହିଥିବା ବେଳେ ବୁଧବାର ଏଥିରେ ବୃଦ୍ଧି ଘଟିଛି। ଆଜି ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ୪୧.୮ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ରେ ୪୧.୩, ବୌଦ୍ଧରେ ୪୧, ଝାରସୁଗୁଡ଼ାରେ ୪୦.୬, ସମ୍ବଲପୁରରେ ୪୦.୪, ଭବାନୀପାଟଣା ଓ ସୁବର୍ଣ୍ଣପୁରରେ ୪୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ଼ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ଠାରୁ ପାରଦ ୨ରୁ ୩ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।