କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମୋକିମଙ୍କୁ କାରଣଦର୍ଶାଅ ନୋଟିସ୍‌

ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କଂଗ୍ରେସ ୨ଜଣ ବିଧାୟକ ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଏହାକୁ ଦୁଇ ବିଧାୟକ ଗ୍ରହଣ କରିଛନ୍ତି । କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯିବ ବୋଲି ସୁର ରାଉତରାୟ କହିଛନ୍ତି । ସେ କହିଛନ୍ତି ସେ ଯାହା କହିଛନ୍ତି ଦଳର ଭଲ ପାଇଁ କହିଛନ୍ତି । ଦଳ ବାହାରେ କୈାଣସି କଥା କହିନାହାଁନ୍ତି । ଅପ୍ରିୟ ସତ ଲାଗୁଥିଲେ ମଧ୍ୟ ଏହା ଦଳ ପାଇଁ ସେ ଭଲ ଚିନ୍ତା କରି କହିଛନ୍ତି । ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ୍ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠାଇଥିଲେ ଦୁଇ ବିଧାୟକ । ସୁର ରାଉତରାୟ କହିଥିଲେ କଂଗ୍ରେସ ଭୋଟ ବିକ୍ରି ହୋଇଗଲା । ଗଣମାଧ୍ୟମରେ ବିବୃତ୍ତି ଦେଇଥିବା କାରଣରୁ ସେମାନଙ୍କୁ ଏହି କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି । ଉଭୟ ନେତାଙ୍କୁ ୭ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି ।