ଓଡ଼ିଶାରୁ ଚାଲିବ ଜଗନ୍ନାଥ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ: ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ୱର : ଓଡ଼ିଶା ପାଇଁ ବଡ଼ ଖବର । ରେଳର ବିକାଶ ପାଇଁ ରେଳମନ୍ତ୍ରୀ କହିଛନ୍ତି ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଜଗନ୍ନାଥ ଏକ୍ସପ୍ରେସ ଚାଲିବ ଯାହା ଅନ୍ୟାନ୍ୟ କ୍ଷେତ୍ରକୁ ସଂଯୋଗ କରିବ । ଆସନ୍ତା ରଥଯାତ୍ରା ସମୟରେ ଏନେଇ ବିସ୍ତୃତ ଘୋଷଣା କରିବେ ରେଳମନ୍ତ୍ରୀ । ରେଳ ମନ୍ତ୍ରୀ କହିଛନ୍ତି, ଭାରତ ଗୌରବ ପ୍ରକଳ୍ପ ଅଧୀନରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’। ସଂସ୍କୃତି ଐତିହ୍ୟସ୍ଥଳକୁ ସଂଯୋଗ କରୁଥିବା ଏଭଳି ଏକ୍ସପ୍ରେସ ଉତ୍ତରଭାରତରେ ଆରମ୍ଭ ହୋଇଥିବା ବେଳେ ଏହା ଓଡ଼ିଶାକୁ ମଧ୍ୟ ଆସିବ । ଏହି ଏକ୍ସପ୍ରେସ ଜଗନ୍ନାଥ ସଂସ୍କୃତିର ସମସ୍ତ ଚିତ୍ର ବହନ କରିବ । ଏହା ପୂର୍ବରୁ ଏହି ପ୍ରକଳ୍ପ ଅଧୀନରେ ରାମାୟଣ ଏକ୍ସପ୍ରେସ ଗଡ଼ୁଥିବା ବେଳେ ତାହା ରାମାୟଣର ପ୍ରଚାର ପ୍ରସାର କରୁଛି। ‘ଜଗନ୍ନାଥ ଏକ୍ସପ୍ରେସ’ର ରୂପରେଖ ଓ ଡିଜାଇନ ଆଦି ଫାଇନାଲ ହୋଇ ସାରିଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବ ଏହି ଏକ୍ସପ୍ରେସ।
‘ଜଗନ୍ନାଥ ଏକ୍ସପ୍ରେସ’ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ଗଡ଼ିବ ତାହା ରଥଯାତ୍ରା ବେଳେ ଜଣାପଡିବ । ଅନ୍ୟପକ୍ଷରେ ରାଜ୍ୟରେ ଖୁବ୍ ଶୀଘ୍ର ‘ବନ୍ଦେ ଭାରତ ଏକ୍ସପ୍ରେସ’ ଗଡ଼ିବ ବୋଲି ମଧ୍ୟ ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି । ତା’ସହିତ ରାଜ୍ୟ ସରକାର ପ୍ରସ୍ତାବ ଦେଲେ ରାଜ୍ୟରେ ମେଟ୍ରୋ ଟ୍ରେନ୍ ବି ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ରେଳ ଭିତ୍ତିଭୂମିର ବିକାଶ ଭୂବନେଶ୍ବର ଷ୍ଟେସନର ବିକାଶ , ପୁରୀ ଷ୍ଟେସନର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଥିବା ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି ।