ମେଟ୍ରୋଓଡିଶା(୨୦.୩.୨୦୨୨)
ପଖାଳ ଓଡିଶାର ପୁରପଲ୍ଲୀରେ ଘରେ ଘରେ ବହୁଳ ମାତ୍ରାରେ ଆଦୃତ। ପଖାଳ ଓଡିଆ ଜାତି ଓ ସଂସ୍କୃତିର ଅନବେଦ୍ୟ ଅଙ୍ଗ। ପ୍ରତ୍ୟେକ ଓଡିଆ ଏହାର ସ୍ୱାଦ ଚାଖିଥିବେ ଓ ଏହାର ପ୍ରାଧାନ୍ୟତା ଅନୁଭବ ଓ ଉପଭୋଗ କରିଥିବେ ନିଶ୍ଚିତ। ଓଡିଆ ଜାତିର, ପରମ୍ପରାର ଓ ସଂସ୍କୃତିର ଗୁରୁତ୍ୱ ବହନ କରୁଥିବା ପଖାଳକୁ ନେଇ ବିଶ୍ଵପଖାଳ ଦିବସ ପାଳିତ ହେଉଥିବାରୁ ଜଣେ ଓଡିଆ ହିସାବରେ ଦେହ, ମନ ଓ ପ୍ରାଣରେ କେତେ ଯେ ଉନ୍ମାଦନା, ଆନନ୍ଦ, ପୁଲକ, ଖୁସି, ଶାନ୍ତି, ଗର୍ବ ଓ ଭାଇଚାରାର ଶିହରଣ ଖେଳି ଯାଉଛି, ତାହାର ବ୍ୟାଖ୍ୟା କରିବା ବଡ କଷ୍ଟକର ବ୍ୟାପାର। ସତରେ ଭାଷାରୁ ଅତୀତ ସେ ଅନୁଭୂତି। ଆଜିର ଏ ଐତିହାସିକ ଦିବସ ଉପଲକ୍ଷେ ଆପଣଙ୍କୁ ଏବଂ ଆପଣଙ୍କ ସପରିବାର, ସକୁଟୁମ୍ବ ଓ ସବାନ୍ଧବଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।ପଖାଳ ହେଉଛି ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ। ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଅନ୍ୟତମ। ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ। ଏହାର ପାଣି ତୋରାଣି ନାମରେ ନାମିତ। ପଖାଳ ସାଧାରଣତଃ ଖରାବେଳେ ବା ଉପରଓଳି ଖିଆଯାଇଥାଏ। ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସଭାବେ ନାମିତ କରାଯାଇଛି।ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ମଧ୍ୟ ପ୍ରଚଳିତ। ଆସାମରେ ଏହାକୁ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ” ଓ ଛତିଶଗଡ଼ରେ ପଖାଳ ବା “ବୋରେ ଭାତ” କହନ୍ତି । ତାମିଲନାଡୁରେ ଏହା “ବକାଳ ବାତ” ନାମରେ ବିଦିତ। ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପଖାଳ ପରଷା ଯାଏ ।

ପଖାଳର ପ୍ରକାର ଭେଦ
ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ।ଏହାକୁ ଭୃସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଆବଶ୍ୟକ ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ବହୁଗୁଣିତ ହୋଇଥାଏ।
ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟାରୁ ଏକଦିନ ପର୍ଯ୍ୟନ୍ତ ଅଥବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ। ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ୟ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ବୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ।
ଜିରା ପଖାଳ: ଜିରା, ଭୃସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଇଥାଏ ।
ଦହି ପଖାଳ: ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ।
ଚାଇଁ ପଖାଳ ବା ଗରମ ପଖାଳ: ଏହା ସଜ ଭାତରେ ଗରମ ନ ଛାଡ଼ୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଇଥାଏ । ଏଥିରେ ଗାଈ କ୍ଷୀର ବା ମିଇଁଷି ଘିଅ ପକାଇ ସ୍ଥାନବିଶେଷରେ କେହି କେହି ଖାଇଥାନ୍ତି।
ପଖାଳର ପ୍ରକାର ବହୁଧା ବିଭକ୍ତ। ଅନ୍ୟ ପ୍ରକାରର ପଖାଳ ହେଲା….
ଟଭା ପଖାଳ
ଅଦା ପଖାଳ
କଞ୍ଚାଆମ୍ବ ପଖାଳ
କାକୁଡ଼ିକୋରା ପଖାଳ
ବଡ଼ି ପଖାଳ ଇତ୍ୟାଦି ….
ପଖାଳର ସହଖାଦ୍ୟ
ପଖାଳ ସହ ବଡ଼ିଚୁରା ଓ ଭଜା,ତଥା ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ। ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ। ବିଭିନ୍ନ ପ୍ରକାରର ପତର ପୋଡ଼ା, ମାଛ ଭଜା, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ। ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ। ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବା ନସା ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ।

ପଖାଳର ଔଷଧୀୟ ଗୁଣ
ପଖାଳର ତୋରାଣିରୁ କାଞ୍ଜି ପ୍ରସ୍ତୁତ କରାଯାଏ। ମାଟି ହାଣ୍ଡିରେ ପଖାଳକୁ ବାସି କରି ତା’ର ତୋରାଣିରୁ ପ୍ରସ୍ତୁତ କାଞ୍ଜିକୁ ହାଣ୍ଡି କାଞ୍ଜି ବୋଲି କହିଥାନ୍ତି। ଏହା ଭେଣ୍ଡି, ବୁଢ଼ା ବାଇଗଣ ବା କାକୁଡ଼ି, ଭୃସଙ୍ଗ ପତ୍ର ଓ ପଞ୍ଚୁ ଫୁଟଣ ଦେଇ ଛୁଙ୍କ କରାଯାଏ। ଏହା ମଧ୍ୟ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ହାଣ୍ଡି କାଞ୍ଜି ଦ୍ବାରା ପେଟ ଥଣ୍ଡା ରହେ। ପଖାଳ ପିତ୍ତ ନାଶକ। ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ। ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ।ପିତ୍ତ ରୋଗ ବିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ। ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ। କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ। ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ ।
ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ। କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ି ଯାଇଥାଏ। ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ। ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ।

ଓଡିଆ ଚଳଣିରେ ପଖାଳର ବିଶେଷତ୍ବ
ଶ୍ରୀମନ୍ଦିରରେ
ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ। ଉଷୁନା ପଖାଳ ଓ ଅରୁଆ ପଖାଳ ମଧ୍ୟରୁ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି। ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି। ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ। ଅଦା ପକାଯାଇ ଚୁପୁଡ଼ା ପଖାଳ, ଟଭାରେ ଟଭା ପଖାଳ, ଜିରା, ଅଦା ଓ ମସଲାଦ୍ୱାରା ପ୍ରସୂତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି। ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି। ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ। ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ।
ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ। ସନ୍ଧ୍ୟା ୭.୦୦ରୁ ୮.୦୦ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ।
ପାଣି ପଖାଳ:୨୩ ଓଳି ଚିପୁଡ଼ା ପଖାଳ: ୧୪ ଓଳି
ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଏ।
ପର୍ବପର୍ବାଣିରେ
ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ମଧ୍ୟ ରହିଛି ।
ପଶ୍ଚିମ ଓଡ଼ିଶାର ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି ।
ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ। ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ।
ପଖାଳର ବିଶେଷତ୍ବ ଅନେକ। ପଖାଳ ବାବଦରେ ବହୁ ତଥ୍ୟ ବିଭିନ୍ନ ଲେଖା, କାହାଣୀ, ସଂଗୀତ, ସଂଳାପ, ଲୋକଗୀତ ଓ ଲୋକକଥା ମାଧ୍ୟମରେ ଊଣାଅଧିକେ ପ୍ରାୟତଃ ସମସ୍ତେ ଜାଣିଥିବେ। ତାହାର କିଛି ଉଦାହରଣ ନିମ୍ନମତେ ଏଠାରେ ବ୍ୟାଖ୍ୟା କରାଯାଇପାରେ।
ଲୋକଗୀତ
ଝିଅ ଶାଶୁ ଘରକୁ ଯିବା ଆଗରୁ ଶାଶୁଘରେ ପଖାଳଖିଆ ବନ୍ଦ ହୋଇ ଯିବାର ଆଶଙ୍କା କରି ଏପରି ଭାବେ ବାହୁନିଥାଏ –
“ପାହାନ୍ତା ପଖାଳ ସପନ ହେବ ଲୋ ମୋ ମାଆରାଣୀ
ବାଳ ବାନ୍ଧିବାକୁ ତେଲ ନ ଥିବ ଲୋ ମୋ ମାଆରାଣୀ ॥”
ଝିଅ ଶାଶୁ ଘରକୁ ଯିବା ଆଗରୁ ତାକୁ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା କନିଆଁ ଡାକରା ବା ତୋରାଣି ପିଆପାଇଁ ଡାକିଥାନ୍ତି। ଝିଅଟିର ଅନ୍ତର୍ବେଦନାକୁ ପ୍ରତିଫଳିତ କରେ ଏଇ କାନ୍ଦଣା ଗୀତ-
“ଦେଠେଇ ତୋହର ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ଜୀବନ
ହାତକୁ ବନ୍ଧେଇ ଦେଲେ ମୋ ଜୀବନ
ସାଇ ପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ମୋ ଜୀବନ
ଫରୁଆ ପାନିଆ ଦେଲେ ମୋ ଜୀବନ॥”
କିନ୍ତୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲିଖନୀରୁ ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରୁ ଝରିପଡିଥିବା ପଖାଳ ବିଷୟକ କାଳଜୟୀ ଲୋକ ସଂଗୀତର ମନ୍ଦ,ମୃଦୁ ମଧୂର ମୂର୍ଚ୍ଛନା ଖୁବ୍ ନିଆରା, ମନୋମୁଗ୍ଧକର ଓ ହୃଦୟସ୍ପର୍ଶୀ । ଏହାର ପଂକ୍ତିଗୁଡିକ ଆପଣଙ୍କ ଗୋଚରାର୍ଥେ ନିମ୍ନମତେ ଏଠାରେ ଉପସ୍ଥାପନ କରୁଛି। ଆଶାକରେ ଆଜିର ଦିନରେ ଏହା ଆପଣଙ୍କ ମନ, ହୃଦୟ ଓ ପ୍ରାଣେନ୍ଦ୍ରିୟକୁ ନିଶ୍ଚିତ ଛୁଇଁବ।
………………………………………………
ପଖାଳ ମାହାତ୍ମ୍ଯ:
………………………………………………..
ଆସ ଜୀବନ ଧନ ମୋର ପଖାଳ କଂସା।
ସଜନିରେ ତୋ ବିହୁନେ ଉଡ଼ିଲା ହଂସା।।
ଆସ ଜୀବନ ଧନ…..
ବହିଲାଣି ଅନା ସଖୀ ଝଂଜା ପବନ
ଅଠା ମାରିଗଲା ତୁଣ୍ଡ ଯାଏ ଜୀବନ।
ତୋ ବିନେ ପଖାଳ ଗୋ ଫାଟିଲା କପାଳ ଗୋ
ତୋରାଣି ସହିତେ ମିଶି ହର ମୋ ତୃଷା।।
ଆସ ଜୀବନ ଧନ…..
ସଙ୍ଗା ଠାକୁରାଣୀ ପିତା ଶୁଖୁଆ ରାଣୀ
ତୋ ଲାଗି ନିଆଁରେ ସଖି ଝାସ ଦେଲାଣି।
ପିଆଜ ଥରି ଡରେ ଛାଲ ଛିଡ଼ାଇ ମରେ
ମରିଚ କହୁଛି ମୋତେ ତୋ ତୁଲେ ମିଶା।।
ଆସ ଜୀବନ ଧନ…..
ସଜ ଘୋଳଦହି ଆମ୍ବଛେଚା ସହିତେ
ଝୁରି ହେଉଥିବେ ସତେ ଦେବତା ଯେତେ।
ବଡ଼ି ଚଟଣି ଥାଇ ମଉନେ ରହେ ଚାହିଁ
ଅନାବନା ଶାଗ କହେ ଚୁଲିରେ ବସା।।
ଆସ ଜୀବନ ଧନ …..
ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ
ଜଗନ୍ନାଥ ରସି ଖାଏ ମନେ ତୁ ଭାଳ।
ଚାଖି ନାହିଁ ଯେ ଥରେ ଧିକ ତା ଜନମରେ
ମଣିଷ ଭିତରେ ସେ ତ ଅଣପୁରୁଷା।।
ଆସ ଜୀବନ ଧନ
ମୋର ପଖାଳ କଂସା ।
ସଜନିରେ ତୋ ବିହୁନେ
ଉଡ଼ିଲା ହଂସା ।
ଢଗ ଢମାଳି
ପଖାଳକୁ ନେଇ ବିଭିନ୍ନ ଢଗ ଢମାଳି ମଧ୍ୟ ରହିଛି। ଯେପରିକି….
“ମଦରଙ୍ଗା ଶାଗ ରାଇ
ପଖାଳ ଭାତକୁ ଚିଲିକା ଶୁଖୁଆ ମାଣିକ ପାଟଣା ଦହି॥”
ଉପକୂଳ/ଦକ୍ଷିଣ ଓଡ଼ିଶାର ଲୋକୋକ୍ତିରେ:
“ଦି ମାଇପର ଘଇତା,
ତବତ ଖାଇବୁ କି ପଖାଳ ଖାଇବୁ ବେଳ ଥାଉ ଥାଉ କହିଥା॥”
ଝିଅଟିଏ ତା’ର ସାଙ୍ଗ, ସାଥି, ବଉଳଙ୍କ ପାଖକୁ ଚିଠି ଲେଖିଲାବେଳେ ଏପରି ଲେଖେ:
“ପଖାଳ ଭାତରେ ଉଲି ପିଆଜ,
ଅକ୍ଷର ମୋହର ବଡ଼ କଦର୍ଯ୍ୟ॥”
ଓଡ଼ିଶାର ପଶ୍ଚିମାଞ୍ଚଳରେ ଢଗଟିଏ ଅଛି:
“ଲାଲ ଟହଟହ ପାତଲଘଟାଁ, ଧାନ ମିରଚା ନୁନେ,
ଚିଟକି ଚିଟକି ଖାଏମା ପୁତା, ବାସି ପଖାଳର ସାଙ୍ଗେ