ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ratha khala

ମେଟ୍ରୋ ଟିଭି ଓଡିଶା (୨୧.୫.୨୦୨୨)

ପବିତ୍ର ଅକ୍ଷୟତୃତୀୟାଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ କରାଯିବା ପରେ ତହିଁ ପରଦିନଠାରୁ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଶୁକ୍ରବାର ଧଉରା କାଠରେ ମହାପ୍ରଭୁଙ୍କ ରଥର ୪୦ ଫୁଟିଆ ଅଖଚକ ନିର୍ମାଣ ପାଇଁ ଶୁଭ ଅନୁକୂଳ କରାଯାଇଛି । ପ୍ରତ୍ୟେକ ରଥ ପାଇଁ ଗୋଟିଏ ଲେଖାଏଁ ଅଖ ପ୍ରସ୍ତୁତ କରାଯାଉଛି । ଇତିମଧ୍ୟରେ ତିନିରଥର ନାହାକା ଓ ଚକ ନିର୍ମାଣ କାର୍ଯ୍ୟ ଏକରକମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ମୁଖ୍ୟ ବିଶ୍ୱକର୍ମା ସୂଚନା ଦେଇଛନ୍ତି ।

ଦିନରାତି ୨୪ ଘଣ୍ଟା ବିଭିନ୍ନ ବିଶ୍ୱକର୍ମା ରଥକାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଖୁବ୍‌ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି । ରଥ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ସମିତି ପକ୍ଷରୁ କରାଯାଉଛି । ଜିଲ୍ଲାପାଳ ଇତିମଧ୍ୟରେ ରଥଖଳାକୁ ଯାଇ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ।

ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ଚଳିତବର୍ଷ ଦର୍ଶକଙ୍କ ଗହଣରେ ଏହି ରଥଯାତ୍ରା କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।