ୱାନ୍‌-ଡେ କପ୍‌ରେ ପୃଥ୍ବୀଙ୍କ ଦ୍ବି ଶତକ

ନର୍ଥହାମ୍ପଟନ: ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟ ଓ୍ବାନ ଡେ କପ୍‌ରେ ନର୍ଥହାମ୍ପଟନସାୟାର ପକ୍ଷରୁ ଖେଳୁଥିବା ଭାରତୀୟ ବ୍ୟାଟର୍‌ ପୃଥ୍ବୀ ସ’ ବୁଧବାର ନୂଆ କୀର୍ତ୍ତିମାନ କରିଛନ୍ତି। ନର୍ଥହାମ୍ପଟନ୍‌ର କାଉଣ୍ଟି ଗ୍ରାଉଣ୍ଡରେ ସମରସେଟ୍‌ ବିପକ୍ଷରେ ୨୩ ବର୍ଷୀୟ ପୃଥ୍ବୀ ୨୪୮ ରନ କରିଛନ୍ତି ।  ସେ୧୫୩ ବଲ୍‌ ଖେଳି ୨୮ ଚୌକା, ୧୧ ଛକା ମାରିଥିଲେ। ଏହି ପ୍ରତିଯୋଗିତା‌ରେ ସେ ସର୍ବୋଚ୍ଚ ସ୍କୋରର୍‌ ହେବା ସହ ଦ୍ବିଶତକ ମାରିବାରେ ତୃତୀୟ ବ୍ୟାଟର୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ କେଣ୍ଟ୍‌ର ଓଲି ରବିନସନ୍‌ ଏବଂ ସସେକ୍ସର ଅଲୀ ଓର ଦ୍ବିଶତକ ମାରିଥିଲେ। ଉଭୟ ୨୦୬ ରନ୍‌ ଲେଖାଏଁ କରିଥିଲେ। ସେ ନିଜର ଏହି ୨୪୮ ରନ୍‌ର ବିସ୍ଫୋରକ ପାଳି ବଳରେ ଏମାନଙ୍କ ନାମରେ ଥିବା ସର୍ବୋଚ୍ଚ ସ୍କୋର୍‌ର କୀର୍ତ୍ତିମାନ ଭାଙ୍ଗିଥିଲେ।