ଚଳିତ ଆଇପିଏଲ୍‌ରୁ ଓହରିଯାଅ,ବିରାଟଙ୍କୁ ଶାସ୍ତ୍ରୀଙ୍କ ପରାମର୍ଶ

ଚଳିତ ଆଇପିଏଲ୍‌ରୁ ଓହରିଯାଅ,ବିରାଟଙ୍କୁ ଶାସ୍ତ୍ରୀଙ୍କ ପରାମର୍ଶ

ମେଟ୍ରୋଟିଭିଓଡିଶା(୨୮.୪.୨୦୨୨)

ଚଳିତ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରିରହିଛି। କୋହଲି ୯ଟି ମ୍ୟାଚ୍‌ରୁ ମାତ୍ର ୧୨୮ ରନ୍‌ କରିଛନ୍ତି। ଖରାପ ଫର୍ମକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କୋହଲିଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। କୋହଲି ଆଇପିଏଲ୍‌ରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା ଉଚିତ ବୋଲି ଶାସ୍ତ୍ରୀ କହିଛନ୍ତି। ବିରାଟ କୋହଲି ତାଙ୍କ କ୍ରିକେଟ ଜୀବନର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ୭୦ଟି ଆନ୍ତର୍ଜାତିକ ଶତକ ହାସଲ କରିଥିବା କୋହଲି ଅଢ଼େଇ ବର୍ଷ ହେଲା କୌଣସି ଫର୍ମାଟରେ ଶତକ ମାରିନାହାନ୍ତି।


ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଶାସ୍ତ୍ରୀ କହିଛନ୍ତି, ମୁଁ ଭାବୁଛି ବିରାଟଙ୍କ ପାଇଁ ବିଶ୍ରାମ ସଠିକ୍ ନିଷ୍ପତ୍ତି ହେବ। କାରଣ ସେ ଦୀର୍ଘ ଦିନ ଧରି କ୍ରମାଗତ ଭାବେ କ୍ରିକେଟ ଖେଳୁଛନ୍ତି। ସେ ସମସ୍ତ ଫର୍ମାଟରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ତେଣୁ ଏବେ ଆଇପିଏଲ୍‌ରୁ ଓହରିଯାଇ ବିଶ୍ରାମ ନେବା ତାଙ୍କ ପାଇଁ ବୁଦ୍ଧିମାନର ନିଷ୍ପତ୍ତି ହେବ। ବେଳେବେଳେ ତୁମକୁ ସନ୍ତୁଳନ ରଖିବାକୁ ପଡ଼ିଥାଏ। ଚଳିତବର୍ଷ ସେ ଏବେ ଆଇପିଏଲ୍‌ ଖେଳୁଛନ୍ତି। ତାଙ୍କଠାରେ ଆହୁରି ୬-୭ ବର୍ଷର କ୍ରିକେଟ୍‌ ବାକିଅଛି। ଯଦି ତୁମେ ଆନ୍ତର୍ଜାତିକ କ୍ରିକେଟ ଜୀବନକୁ ଦୀର୍ଘ କରିବାକୁ ଚାହଁ; ତେବେ ଆଇପିଏଲ୍‌ରୁ ଓହରିଯାଅ। ତୁମକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଏପରି କହୁଛି। କ୍ରମାଗତ ୨ଟି ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଆଉଟ୍‌ ହେବା ପରେ କୋହଲି ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଇନିଂସ ଓପନ୍‌ କରିଥିଲେ। ହେଲେ ସେ ୯ ରନ୍‌ରେ ଆଉଟ୍‌ ହୋଇଥିଲେ। କୋହଲି ଆଇପିଏଲ୍‌ର ସଫଳତମ ବ୍ୟାଟ୍‌ସମ୍ୟାନ୍। ୨୦୧୬ ଆଇପିଏଲ୍‌ରେ କୋହଲି ୧୬ଟି ମ୍ୟାଚ୍‌ରୁ ୪ଟି ଶତକ ଓ ୭ଟି ଅର୍ଦ୍ଧଶତକ ସହ ୯୭୩ ରନ୍‌ କରିଥିଲେ। ଶାସ୍ତ୍ରୀ ଆହୁରି କହିଛନ୍ତି, କେବଳ ବିରାଟ ନୁହନ୍ତି; ଅନ୍ୟ ଖେଳାଳିଙ୍କୁ ମଧ୍ୟ ଏହା କହିବି ଯେ ତୁମେ ଯଦି ଭାରତ ପାଇଁ ଖେଳି ଭଲ ପ୍ରଦର୍ଶନ କରିବାକୁ ଚାହଁ; ତେବେ ଏକ ରେଖା ଟାଣ ​ଯେ ତୁମେ କେବେ ଖେଳିବାକୁ ଚାହଁ ଏବଂ କେବେ ବିଶ୍ରାମ ଚାହଁ। ଅଫ୍‌ ସିଜିନ୍‌ରେ ହିଁ ବିଶ୍ରାମ ନେବା ଉଚିତ। ହେଲେ ଆଇପିଏଲ୍‌ ଭାରତର ଅଫ୍‌ ସିଜିନ୍‌ରେ ହିଁ ଆୟୋଜନ ହୋଇଥାଏ। ୨୦୧୯ରେ ଭାରତୀୟ ଦଳର ସମସ୍ତ ଫର୍ମାଟର ନେତୃତ୍ବରୁ କୋହଲି ଓହରି ଯାଇଥିଲେ। ଗତ ସପ୍ତାହରେ ମଧ୍ୟ ଶାସ୍ତ୍ରୀ କହିଥିଲେ ଯେ ବିରାଟ ଅତ୍ୟଧିକ କ୍ରିକେଟ୍‌ ଖେଳିଛନ୍ତି ଏବଂ ତାଙ୍କୁ ବିଶ୍ରାମ ଆବଶ୍ୟକ।