ଆଇସିସି ପକ୍ଷରୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଘୋଷଣା,ଗିଲ୍, ଶେଫାଳୀ ସେପ୍ଟେମ୍ବରର ଶ୍ରେଷ୍ଠ କ୍ରିକେଟର
ଆଇସିସି ପକ୍ଷରୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଖେଳାଳି ଉଭୟ ପୁରୁଷ ଓ ମହିଳା ବର୍ଗରେ ବାଜିମାତ୍ କରିଛନ୍ତି। ପୁରୁଷ ବର୍ଗରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଓ ମହିଳା ବର୍ଗରେ ଶେଫାଳୀ ବର୍ମା ସେପ୍ଟେମ୍ବରର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଗିଲ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ୩୩୩ରନ କରିଥିଲେ। ପ୍ରଥମ ମ୍ୟାଚରେ ସେ ୧୦୮ଟି ବଲରୁ ୧୧୦ ଓ ୨ୟ ମ୍ୟାଚରେ ୧୩୩ଟି ବଲରୁ ଅପରାଜିତ ୨୨୩ରନ କରିଥିଲେ। ଗିଲ୍ ଅନ୍ୟ ଭାରତୀୟ ଅଭିଷେକ ଶର୍ମା ଓ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜାଙ୍କୁ ପଛେର ପକାଇ ଏହି ସମ୍ମାନ ପାଇଛନ୍ତି। ଗିଲ୍ ପଞ୍ଚମ ଥର ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର ବିବେଚିତ ହେବା ସହ ଇତିହାସ ରଚିଛନ୍ତି। ଏହା ପୂର୍ବରୁ ସେ ୨୦୨୩ ଜାନୁଆରୀ ଓ ସେପ୍ଟେମ୍ବରରେ, ୨୦୨୫ ଫେବୃଆରୀ ଓ ଜୁଲାଇରେ ଶ୍ରେଷ୍ଠ ପୁରୁଷ କ୍ରିକେଟର ହୋଇଥିଲେ। ୫ ଥର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବାରେ ୱେଷ୍ଟଇଣ୍ଡିଜ୍ର ମହିଳା କ୍ରିକେଟର ହେଲ୍ଲି ମାଥ୍ୟୁସଙ୍କ ସହ ଗିଲ୍ ସମକକ୍ଷ ହୋଇଛନ୍ତି। ଖୁସି ପ୍ରକାଶ କରି ଗିଲ୍ କହିଛନ୍ତି ଯେ, ପଞ୍ଚମ ଥର ପାଇଁ ଆଇସିସି ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ଏକ ଚମତ୍କାର ଅନୁଭୂତି। ଏହି ସମ୍ମାନ ପାଇଁ ମୁଁ ମନୋନୟନକାରୀଙ୍କ ନିକଟରେ କୃତଜ୍ଞ। ଶେଫାଳୀ ବର୍ମା ୨ୟ ଥର ଆଇସିସି ମାସର ଶ୍ରେଷ୍ଠ ମହିଳା କ୍ରିକେଟର ବିବେଚିତ ହୋଇଛନ୍ତି। ପୂର୍ବରୁ ସେ ୨୦୨୫ ନଭେମ୍ବରରେ ଘରୋଇ ମାଟିରେ ଆୟୋଜିତ ଆଇସିସି ମହିଳା ଦିନିକିଆ ବିଶ୍ବକପ ଜିତିବାରେ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଥିଲା। ସେ ସେପ୍ଟେମ୍ବରରେ ୭ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚରୁ ୩୬୦ରନ କରିଥିଲେ। ତାଙ୍କର ବ୍ୟାଟିଂ ଆଭ୍ରେଜ ୭୨ ଓ ଷ୍ଟ୍ରାଇକରେଟ୍ ୧୮୪.୬୧ ଥିଲା। ସେ ୬ଟି ୱିକେଟ ମଧ୍ୟ ନେଇଥିଲେ। ଏସିଆ କପରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଥିଲେ। ସେ ୫ଟି ଇନିଂସରୁ ୨୩୬ରନ କରିଥିଲେ। ଶେଫାଳୀ ଭାରତୀୟ ସ୍ପିନର ଶ୍ରୀ ଚରଣି ଓ ଶ୍ରୀଲଙ୍କା ଅଧିନାୟିକା ଚାମିରା ଆଟାପଟ୍ଟୁଙ୍କୁ ପଛରେ ପକାଇ ଏହି ସମ୍ମାନ ପାଇଛନ୍ତି।