ଭାରତ ଓ ଜାପାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମାସ ୨୨ରେଟ୍ବେଣ୍ଟି୨୦ କ୍ରିକେଟ ମ୍ୟାଚ

ଭାରତ ଓ ଜାପାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଟ୍ବେଣ୍ଟି୨୦ କ୍ରିକେଟ ମ୍ୟାଚ ଆୟୋଜିତ ହେବ। ଦୁଇ ଦେଶ ମଧ୍ୟରେ ଏକମାତ୍ର ଟ୍ବେଣ୍ଟି୨୦ ମ୍ୟାଚ ସୁଜୁକି କପ୍‌ ଚଳିତ ସେପ୍ଟେମ୍ବର ୨୨ରେ ଟୋଚିଗୋ ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏ ନେଇ ଶୁକ୍ରବାର ଜାପାନ କ୍ରିକେଟ ଆସୋସିଏସନ ଓ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଜାପାନ ପ୍ରଧାନମନ୍ତ୍ରୀ ସାନାଇ ଟାକାଇଚି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ସହମତି ପ୍ରକାଶ ପାଇଥିଲା। ଭାରତ ୨୦୩୬ ଅଲିମ୍ପିକ୍‌ସ ଓ ପାରାଲିମ୍ପିକ୍‌ସ ଆୟୋଜନ ନେଇ ଆଶାୟୀ ଥିବାବେଳେ ଉକ୍ତ କ୍ରୀଡ଼ା ମହାକୁମ୍ଭ ଲାଗି ଜାପାନର ସହାୟତା ଏକାନ୍ତ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ-ଜାପାନ କୂଟନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ପ୍ରୟାସ ଆରମ୍ଭ କରିଛି। ଜାପାନ କ୍ରିକେଟ ଆସୋସିଏସନ ମୁଖ୍ୟ କାଯ୍ୟନିର୍ବାହୀ ନାଓକି ମିୟାଜି କହିଛନ୍ତି, ଭାରତ ସହ ଏକ ଟ୍ବେଣ୍ଟି୨୦ ମ୍ୟାଚ ଆୟୋଜନ ନେଇ ଆମେ ପ୍ରସ୍ତୁତ ଅଛୁ। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଏସୀୟ କ୍ରୀଡ଼ା ପୂର୍ବରୁ ଜାପାନ ବିପକ୍ଷରେ ଭାରତ ଐତିହାସିକ ଟ୍ବେଣ୍ଟି୨୦ ମ୍ୟାଚ ଖେଳିବ। ଏସୀୟ କ୍ରୀଡ଼ାରେ ଭାରତ ସେପ୍ଟେମ୍ବର ୨୮ରେ କ୍ବାର୍ଟରଫାଇନାଲ ଖେଳିବ। ଏହାର ୬ ଦିନ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତ ଓ ଜାପାନ ମଧ୍ୟରେ ଏକ ବିଶେଷ ମ୍ୟାଚ ଖେଳାଯିବ। ପୁରୁଷ କ୍ରିକେଟରେ ପ୍ରଥମ ଥର ଭାରତ-ଜାପାନ ପରସ୍ପର ବିପକ୍ଷରେ ଖେଳିବେ। ମ୍ୟାଚ ଭାରତୀୟ ସମୟ ସକାଳ ୯.୩୦ରୁ ଖେଳାଯିବ।

Leave a comment