ଆପଣ ଭାରତ -ଇଂଲଣ୍ଡ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି କି ? ତେବେ ଡେରି କାହିଁକି କରୁଛନ୍ତି, ଟିକେଟ କିଣିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଟିକେଟର ମୂଲ୍ୟ ୭୦୦ ଟଙ୍କାରୁ ଆରମ୍ଭ ହେଉଛି । ୨୦୨୫ ଫେବ୍ରୁଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ହାଇ ଭୋଲଟେଜ ମ୍ୟାଚ ଖେଳାଯିବ ।
କଟକ ବାରବାଟୀ ଷ୍ଟାଡିୟମକୁ ଏହି ମ୍ୟାଚ ଆୟୋଜନର ଦାୟିତ୍ୱ ମିଳିଛି । ଆଜି ଏହି ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଓଡ଼ିଶା କ୍ରିକେଟ ସଂଘର ବୈଠକ ବସିଥିଲା । ସ୍ପେଶାଲ ଏନକ୍ଲୋଜର ଟିକେଟ ମୂଲ୍ୟ ୭୦୦ ଟଙ୍କା ରଖାଯାଇଛି ।
ଏହି କ୍ରମରେ ନମ୍ବର ୧, ୩, ୬ ଗ୍ୟାଲେରି ପାଇଁ ଟିକେଟ ମୂଲ୍ୟ ୧୨୦୦ ଟଙ୍କା ରହିଛି । କର୍ପୋରେଟ ବକ୍ସ ଟିକେଟ ମୂଲ୍ୟ ୨୦୦୦୦ ରହିଥିବା ବେଳେ ଏସି ବକ୍ସ ଟିକେଟ ମୂଲ୍ୟ ୧୦୦୦୦ ଟଙ୍କା ରହିଛି ।
ବାରବାଟୀରେ ମୋଟ ୪୪ ହଜାର ୫୨୪ ଜଣ ଦର୍ଶକ ମ୍ୟାଚର ମଜା ଉଠାଇବେ । ୨ ଓ ୪ ନମ୍ବର ଗ୍ୟାଲେରି ଟିକେଟ୍ ମୂଲ୍ୟ ୧୦୦୦ ଟଙ୍କା ଧାର୍ଯ୍ୟ ହୋଇଛି ।