ଟି୨୦ ମାନ୍ୟତା: ୪ର୍ଥ ସ୍ଥାନକୁ ଉଠିଲେ ଆୟର
ଆଇସିସି ପକ୍ଷରୁ ବୁଧବାର ସଦ୍ୟ ପ୍ରକାଶିତ ଟି୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ୧୦ ମଧ୍ୟରେ ୪ ଭାରତୀୟ ସ୍ଥାନ ପାଇଛନ୍ତି। ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଈଶାନ କିଷନ ୯୦୪ ରେଟିଂ ପଏଣ୍ଟ ସହ ଶୀର୍ଷ ଓ ଅଭିଷେକ ଶର୍ମା ୮୯୧ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ଅଧିନାୟକ ଶ୍ରେୟସ ଆୟର ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ସପ୍ତମରୁ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଆୟରଙ୍କ ଜୀବନର ଏହା ଶ୍ରେଷ୍ଠ ମାନ୍ୟତା। ଅନ୍ୟତମ ଭାରତୀୟ ତିଲକ ବର୍ମା ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୦ରୁ ୯ତମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରେୟସ ଓ ତିଲକ ୱେଷ୍ଟଇଣ୍ଡିଜ୍ ଟି୨୦ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ମାନ୍ୟତାରେ ଉପରକୁ ଉନ୍ନୀତ ହୋଇଛନ୍ତି। ଶ୍ରେୟସ ପ୍ରଥମ ମ୍ୟାଚେର ଶତକ ହାସଲ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ଆୟରଙ୍କ ମାନ୍ୟତାରେ ଉନ୍ନତି ହୋଇଛି। ପାକିସ୍ତାନର ସାହିବଜାଦା ଫରହାନ ୩ୟ, ଇଂଲଣ୍ଡର ହ୍ୟାରୀ ବ୍ରୁକ୍ ୫ମ, ଜୋଶ ବଟ୍ଲର ଷଷ୍ଠ, ଦକ୍ଷିଣ ଆଫ୍ରିକାର ଦିୱାଦ ବ୍ରେଭିସ ସପ୍ତମ, ଇଂଲଣ୍ଡର ଫିଲ ସଲ୍ଟ ଅଷ୍ଟମ ଓ ଶ୍ରୀଲଙ୍କାର ପ୍ରଥୁମ ନିଶଙ୍କା ୧୦ତମ ସ୍ଥାନରେ ରହିଛନ୍ତି। ଭାରତର ସଞ୍ଜୁ ସାମସନ ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୭ତମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାର ଶୀର୍ଷ ୧୦ ମଧ୍ୟରେ ଏକମାତ୍ର ଭାରତୀୟ ସ୍ପିନର ଅକ୍ଷର ପଟେଲ ନବମ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନର ରସିଦ ଖାନ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ତୃତୀୟରୁ ଦ୍ବିତୀୟ ଓ ଇଂଲଣ୍ଡର ଆଦିଲ ରସିଦ ଚତୁର୍ଥରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅଲରାଉଣ୍ଡର ତାଲିକାରେ ୱେଷ୍ଟଇଣ୍ଡିଜ୍ର ରୋଷ୍ଟନ ଚେଜ୍ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୫ରୁ ୩ୟ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମାଥ୍ୟୁ ରେନ୍ସା ୪୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ରେନ୍ସା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୯୦ ଓ ଦ୍ବିତୀୟ ଇନିଂସରେ ୮୨ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ େସ ୧୪୭ଟି ସ୍ଥାନ ଉପରକୁ ଉନ୍ନୀତ ହୋଇଛନ୍ତି।