କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ; ଏହା ଦେଶକୁ ଆଗକୁ ନେବା ଓ ଶକ୍ତିଶାଳୀ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ- ମୋଦି
କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ; ଏହା ଦେଶକୁ ଆଗକୁ ନେବା ଓ ଶକ୍ତିଶାଳୀ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ। ଯୁବପିଢିଙ୍କ ବିକାଶରେ କ୍ରୀଡ଼ା ବଡ଼ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ଖେଲୋ ଇଣ୍ଡିଆ ଅଭିଭାଷଣ ଖେଲ୍ କି ବାତ୍… ପ୍ରଧାନମନ୍ତ୍ରୀ କି ସାଥ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଶର ଯୁବପିଢି ଓ ସ୍ବେଚ୍ଛାସେବୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶକୁ ଅଲିମ୍ପିକ୍ସ ପ୍ରଦର୍ଶନରେ ଉନ୍ନତି କରିବାକୁ ପଡ଼ିବ। ଅତୀତର ପ୍ରଦର୍ଶନକୁ ଭୁଲି ଆଗାମୀ ଦିନର ସଫଳତା ଉପରେ ଆମକୁ ଗୁରୁତ୍ବ ଦେବାକୁ ପଡ଼ିବ। ଅଲିମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ଭରେ ଏକାଧିକ କ୍ରୀଡ଼ା ରହିଛି। କିନ୍ତୁ ଦେଶ ସମସ୍ତ ବିଭାଗରେ ଅଂଶଗ୍ରହଣ କରିବାରେ ସଫଳ ହେଉନାହାନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୩୨ଟି ଇଭେଣ୍ଟ ମଧ୍ୟରୁ ଦେଶର କ୍ରୀଡ଼ାବିତ୍ମାାନ ୧୬ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଆମକୁ ଅଧିକରୁ ଅଧିକ କ୍ରୀଡ଼ାରେ ଅଂଶଗ୍ରହଣ ଓ ପଦକ ବିଜୟ ଲକ୍ଷ୍ୟ ରଖି ଆଗକୁ ବଢିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଲିମ୍ପିକ୍ସରେ ଆମେ ଅଧା କ୍ରୀଡ଼ାରେ ଭାଗ ନେଉଛେ। ଏକାଧିକ କ୍ରୀଡ଼ାରେ ଆମ କ୍ରୀଡ଼ାବିତ୍ ଯୋଗ୍ୟତା ହାସଲ କରି ପାରୁନାହାନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଯୁବପିଢିଙ୍କୁ କ୍ରୀଡ଼ାରେ କିଭଳି ଅଧିକ ମାତ୍ରାରେ ସାମିଲ କରାଯାଇପାରିବ ସେ ଉପରେ ଗୁରୁତ୍ବ ଦିଅଯାଉଛି । ୨୦୨୮ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ ଆମ ପାଇଁ ଏକ ଆହ୍ବାନ। ଅଗଷ୍ଟ ୧୫ରୁ ଦେଶବ୍ୟାପୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏଥିରେ ୫ରୁ ୧୫ ବର୍ଷର ପିଲାମାନେ ସାମିଲ ହେବେ। କ୍ରୀଡ଼ା ଶକ୍ତି ଯୁବ ଶକ୍ତିର ପ୍ରକୃତ ପରିଚୟ। ଏଥିପ୍ରତି ଯୁବପିଢି ଆକୃଷ୍ଠ ହେବା ସହ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୩୦ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଖେଲୋ ଇଣ୍ଡିଆ ଅଭିଭାଷଣରେ ଆଭାସୀ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଶତାଧିକ ଖେଳାଳି ସାମିଲ ହୋଇଥିଲେ।