ପାକିସ୍ତାନ କ୍ରିକେଟରମାନଙ୍କୁ କେହି ପଚାରୁ ନାହାନ୍ତି
ଲଗାତାର ଖରାପ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ଟିମ । ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ବି ମ୍ୟାଚରେ ନଜିତି ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜରୁ ବାଦ ପଡିଥିଲା ପାକ ଦଳ । ନିଜ ଆୟୋଜକ ହୋଇ ଚାମ୍ପିୟନ୍ସ ଟ୍ରଫିରୁ ବାହାର ହେବା ଘଟଣାକୁ ପାକିସ୍ତାନ କ୍ରିକେଟରମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଘଟଣା ମନରୁ ନଲିଭୁଣୁ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଲଜ୍ଜାଜନକ ପରାଜୟ ସ୍ୱୀକାର କରିଛି ଦଳ । ମାର୍ଚ୍ଚ ୧୬ରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ପାକିସ୍ତାନ ମାତ୍ର ୯୧ ରନ କରି ଅଲଆଉଟ ହୋଇଯାଇଥିଲା । ଯାହାକୁ ସହଜରେ ଜିତି ନେଇଥିଲା ନ୍ୟୁଜିଲାଣ୍ଡ । ଏହି ସବୁ ଘଟଣା ଭିତରେ ପାକିସ୍ତାନ ଟିମ ପାଇଁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିପାଇଁ ଟିମ ଉପରେ ସମସ୍ତେ ହସୁଛନ୍ତି । ଏହା ହେଉଛି ଦୁନିଆରର ଅନ୍ୟ ଟି-୨୦ ଲିଗ ମାମଲା । ଯେଉଁଠି ଆଜିକାଲି ପାକିସ୍ତାନ କ୍ରିକେଟରମାନଙ୍କୁ କେହି ପଚାରୁ ନାହାନ୍ତି । ନସିମ ଶାହା, ସଇମ ଆୟୁବ, ସାହାଦାବ ଖାନଙ୍କ ଭଳି ଟପ ପାକିସ୍ତାନ ଖେଳାଳି ଦ ହଣ୍ଡ୍ରେଡ ଲିଗରେ ନିଜ ନାଁ ଦେଇଥିଲେ । ହେଲେ କାହାକୁ ବି କୌଣସି ଫ୍ରାଞ୍ଚାଇଜ କିଣିଲେ ନାହିଁ । ପାକିସ୍ତାନର ୫୦ କ୍ରିକେଟର୍ସ ଏହି ଡ୍ରାଫ୍ଟରେ ନିଜ ନାଁ ଦେଇଥିଲେ । ଯେଉଁଥିରେ ୪୫ ପୁରୁଷ ଓ ୫ ମହିଳା କ୍ରିକେଟର ସାମିଲ ଥିଲେ ।
ସୂଚନା ମୁତାବକ ପାକିସ୍ତାନୀ କ୍ରିକେଟର୍ସ ଆଇପିଏଲ ଖେଳିବାକୁ ଛଟପଟ ହେଉଛନ୍ତି । ହେଲେ ବର୍ତ୍ତମାନ ତାଙ୍କ ଅବସ୍ଥା ଏମିତି କି ତାଙ୍କୁ ଅନ୍ୟ ବିଦେଶୀ ଲିଗରେ ବି କେହି କିଣୁ ନାହାନ୍ତି । ଏହାର ଏକ ବଡ କାରଣ ଏହା ହୋଇପାରେ କି ଦୁନିଆରେ ହେଉଥିବା ଅନ୍ୟ ଲିଗରେ ବି ଆଇପିଏଲ ଫ୍ରାଞ୍ଚାଇଜ ମାଲିକଙ୍କ ଟଙ୍କା ଲାଗିଛି । ଯଦି ଦ ହଣ୍ଡ୍ରେଡର କଥା କହିବା ତେବେ ଏହି ଇଂଲିଶ ଟୁର୍ଣ୍ଣାମେଣ୍ଟରେ ୪ ଟିମରେ ଆଇପିଏଲ ଫ୍ରାଞ୍ଚାଇଜ ମାଲିକଙ୍କ ସେୟାର ରହିଛି । ମୁମ୍ୱାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ଓଭାଲ ଇନଭିନସିବିଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟରର ମାଞ୍ଚେଷ୍ଟର ଓରିଜିନାଲ୍ସ, ସନରାଇଜର୍ସ ହାଇଦ୍ରାବାଦର ନର୍ଦନ ସୁପରଚାର୍ଜର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ସର୍ଦନ ବ୍ରେଭରେ ସେୟାର ରହିଛି । ସେହିପରି ଓ୍ୱେଲ୍ସ ଫାୟାରରେ ଭାରତୀୟ ମୂଳର ଆମେରିକୀୟ ଉଦ୍ୟୋଗୀ ସଞ୍ଜୟ ଗୋବିଲଙ୍କ ମଧ୍ୟ ୫୦ ପ୍ରତିଶତ ସେୟାର ରହିଛି ।
ଇଂଲଣ୍ଡ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରିଚାର୍ଡ ଗୋଲ୍ଡ କହିଥିଲେ କି ଦ ହଣ୍ଡ୍ରେଡରେ ଆଇପିଏଲର ନିବେଶ ଆସିଲା ପରେ ପାକିସ୍ତାନ ଖେଳାଳିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ହେଲେ ଏମିତି ହେଲା ଭଳି ଦେଖାଯାଉନି । ଏମିତି ନୁହେଁ କି କେବଳ ଆଇପିଏଲ ଆଉ ଦ ହଣ୍ଡ୍ରେଡରେ ପାକିସ୍ତାନ ଖେଳାଳିଙ୍କ ଅବସ୍ଥା ଖରାପ ଅଛି । ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ବି ସମାନ ଅବସ୍ଥା । ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ୬ ଟିମ ଆଇପିଏଲ ଫ୍ରାଞ୍ଚାଇଜ ସହ ଅନୁବନ୍ଧିତ ଅଛି । ତେଣୁ ଏହି କାରଣ ହୋଇପାରେ ପାକିସ୍ତାନ ଖେଳାଳି ଅଂଶଗ୍ରହଣ ନକରିବାର ।