ଫିଫା ଫୁଟ୍ବଲ ବିଶ୍ବକପ୍: ମେକ୍ସିକୋ ୨-୦ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି
ଗୁରୁବାର ଫିଫା ଫୁଟ୍ବଲ ବିଶ୍ବକପ୍ର ଉଦ୍ଘାଟନ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ୨-୦ ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ଗ୍ରୁପ୍ ‘ଏ’ର ମ୍ୟାଚ୍ରେ ମେକ୍ସିକୋ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୨ଟି ଗୋଲ୍ ଦେଇଥିଲା। ମେକ୍ସିକୋ ପାଇଁ ପ୍ରଥମାର୍ଦ୍ଧରେ ଜୁଲିଆନ୍ କ୍ବିନୋନେସ୍ ଏବଂ ଦ୍ବିତୀୟାର୍ଦ୍ଧରେ ରାଉଲ ଜିମେନେଜ୍ ଗୋଲ୍ ଦେଇଥିଲେ। ୨ଟି ରେଡ୍କାର୍ଡ ଯୋଗୁଁ ଦ୍ବିତୀୟାର୍ଦ୍ଧରେ ୧୦ ଜଣଙ୍କୁ ନେଇ ଖେଳିଥିଲା ଦକ୍ଷିଣ ଆଫ୍ରିକା।ଐତିହାସିକ ଆଜ୍ଟେକା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ରେ ଫିଫା ମାନ୍ୟତାର ୧୫ଶ ସ୍ଥାନରେ ଥିବା ମେକ୍ସିକୋ ୬୦ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ପୂର୍ବରୁ ଦୁଇ ଥର ବିଶ୍ବକପ୍ର କ୍ବାର୍ଟରଫାଇନାଲ ଖେଳିଥିବା ମେକ୍ସିକୋ ୫ମ ମିନିଟରେ ପ୍ରଥମ ଗୋଲ୍ଦେବାର ସୁଯୋଗ ପାଇଥିଲା।ରାଉଲ ଜିମେନେଜ୍ ମାରିଥିବା ଜୋର୍ଦାର ସଟ୍କୁ ଦକ୍ଷିଣ ଆଫ୍ରିକାର ଗୋଲ୍ରକ୍ଷକ ରୋନ୍ୱେନ୍ ୱିଲିୟମ୍ସ ଚମତ୍କାର ଭାବେ ରୋକି ଦେଇଥିଲେ। ତେବେ ୯ ମିନିଟରେ ଚଳିତ ବିଶ୍ବକପ୍ରେ ପ୍ରଥମ ଗୋଲ୍ ଦେଇ ଆଗୁଆ ହୋଇଥିଲା ଘରୋଇ ଦଳ ମେକ୍ସିକୋ। ଲିରାଙ୍କଠାରୁ ବଲ୍ ପାଇ ମେକ୍ସିକୋର ଜୁଲିଆନ୍ କ୍ବିନୋନେସ୍ ଗୋଲ୍ ଦେଇଥିଲେ। ୩୭ ମିନିଟରେ ଦକ୍ଷିଣ ଆଫ୍ରିକାର ଲାଇଲ୍ ଫୋଷ୍ଟର କରିଥିବା ହେଡର ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୪୨ ମିନିଟରେ ମେକ୍ସିକୋର ଷ୍ଟ୍ରାଇକର ଜୁଲିଆନ୍ କ୍ବିନୋନେସ୍ ଏକ ଫାଙ୍କା ବଲ୍ ପାଇ ସଟ୍ ମାରିଥିଲେ ହେଁ ଏହା ଗୋଲ୍ପୋଷ୍ଟରେ ବାଜିଥିଲା। ପ୍ରଥମାର୍ଦ୍ଧରେ ମେକ୍ସିକୋ ୧-୦ ଗୋଲ୍ରେ ଆଗୁଆ ରହିଥିଲା। ୪୯ ମିନିଟରେ ବଲ୍ ସହ ମେକ୍ସିକୋର ଏରିକ୍ ଗ୍ୟୁଟିରେଜ୍ ଏକା ସ୍କୋର୍ କରିବାକୁ ଯାଉଥିବା ବେଳେ ତାଙ୍କୁ ପଛରୁ ଫାଉଲ୍ ମାରି ପକାଇ ଦେଇଥିଲେ ଦକ୍ଷିଣ ଆଫ୍ରିକାର ସ୍ପେପେଲୋ ସିତୋଲେ।ଫଳରେ ରେଫେରୀ ସିତୋଲେଙ୍କୁ ରେଡ୍ କାର୍ଡ ଦେଖାଇ ବିଦା କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୧୦ ଜଣଙ୍କୁ ନେଇ ଖେଳିଥିଲା। ୬୭ ମିନିଟରେ ମେକ୍ସିକୋ ୨ୟ ଗୋଲ୍ ଦେଇଥିଲା। ରବେର୍ଟୋ ଆଲ୍ଭାରାଡୋଙ୍କ କ୍ରସ୍ରୁ ହେଡ୍କରି ରାଉଲ ଜିମେନେଜ୍ ଗୋଲ୍ ସ୍କୋର୍ କରିଥିଲେ। ୮୧ ମିନିଟରେ ଆଲ୍ଭାରାଡୋଙ୍କ ଉପରେ ଫାଉଲ୍ ଯୋଗୁଁ ଦକ୍ଷିଣ ଆଫ୍ରିକାର ଥେମ୍ବା ଜ୍ବାନେ ରେଡ୍କାର୍ଡ ପାଇଁ ପଡ଼ିଆରୁ ବିଦାୟ ନେଇଥିଲେ। ଫଳରେ ଶେଷ ୧୦ ମିନିଟ ଦକ୍ଷିଣ ଆଫ୍ରିକା ୯ ଜଣଙ୍କୁ ନେଇ ଖେଳିଥିଲା। ଇଞ୍ଜ୍ୟୁରୀ ସମୟରେ ମେକ୍ସିକୋର ସେଜାର ମୋଣ୍ଟେସ୍ ରେଡ୍ କାର୍ଡ ପାଇ ପଡ଼ିଆରୁ ବିଦାୟ ନେଇଥିଲେ।