ଅନ୍ତର୍ଜାତୀୟ କ୍ରିକେଟ୍‌ର ଇତିହାସରେ ଯୋଡ଼ି ହେଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ପୂରଣ ହେଲେ ୫,୦୦୦ତମ ଦିନିକିଆ ମ୍ୟାଚ୍

ଅନ୍ତର୍ଜାତୀୟ କ୍ରିକେଟ୍‌ର ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପ୍ରଥମ ଥର ପାଇଁ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରେ ୫,୦୦୦ ମ୍ୟାଚ୍ ସମାପ୍ତ ହୋଇଛି। ଦିନିକିଆ କ୍ରିକେଟ୍‌ ଅର୍ଥାତ୍‌ ODI ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଶୁକ୍ରବାର ସ୍କଟଲାଣ୍ଡ ଓ କାନାଡା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ଟି ଥିଲା ୫,୦୦୦ତମ ଦିନିକିଆ ମ୍ୟାଚ୍ । ଐତିହାସିକ ମୁକାବିଲାରେ ସ୍କଟଲାଣ୍ଡ ୯ ରନ୍‌ରେ କାନାଡାକୁ ପରାସ୍ତ କରିଛି।ବର୍ତ୍ତମାନ ସ୍କଟଲାଣ୍ଡରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେଉଥିବା ବେଳେ ସେହି ମାଟିରେ ହିଁ ଦିନିକିଆ କ୍ରିକେଟ୍‌ ମ୍ୟାଚ୍ ଏହି ଐତିହାସିକ ସଫଳତା ହାସଲ କରିଛି।

୧୯୭୧ ମସିହାରୁ ଆରମ୍ଭ ହୋଇଥିବା ଦିନିକିଆ ମ୍ୟାଚ୍‌ର ଯାତ୍ରା

ଟେଷ୍ଟ କ୍ରିକେଟ୍‌ ଆରମ୍ଭ ହେବାର ପ୍ରାୟ ୯୪ ବର୍ଷ ପରେ, ୧୯୭୧ରେ ଦିନିକିଆ ଫର୍ମାଟ୍‌ର ଜନ୍ମ ହୋଇଥିଲା। ମାତ୍ର ୫୫ ବର୍ଷର ଯାତ୍ରାରେ ଏହି ଫର୍ମାଟ୍‌ ୫,୦୦୦ ମ୍ୟାଚ୍‌ର ମାଇଲଖୁଣ୍ଟ ଛୁଇଁଛି। ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟ୍‌ ଏପର୍ଯ୍ୟନ୍ତ ୩,୦୦୦ ମ୍ୟାଚ୍‌ରେ ପହଞ୍ଚିପାରିନାହିଁ। ଏପର୍ଯ୍ୟନ୍ତ ୨,୬୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ୨୦୦୪ରେ ଟି-୨୦ ଫର୍ମାଟ୍‌ର ଆରମ୍ଭ ହୋଇଥିଲା।

୧୯୭୧ରୁ ଏପର୍ଯ୍ୟନ୍ତ ୨୯ଟି ଦେଶ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ଖେଳିସାରିଛନ୍ତି। ଏହି ଫର୍ମାଟ୍‌ ହିଁ ବିଶ୍ୱକପ୍‌ ଭଳି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଧାରଣାକୁ ଜନ୍ମ ଦେଇଥିଲା। ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇ ଇତିହାସ ରଚିଥିଲା।ଦିନିକିଆମ୍ୟାଚ୍‌ରେ ଦଳଗୁଡ଼ିକର ପ୍ରଦର୍ଶନ ଦେଖିଲେ ଅଷ୍ଟ୍ରେଲିଆର ଦବଦବା ସବୁ ଦଳ ଅପେକ୍ଷା ଭାରି ରହିଥିଲା। ଅଷ୍ଟ୍ରେଲିଆ ୧,୦୨୫ଟି ଦିନିକିଆ ମ୍ୟାଚ ମଧ୍ୟରୁ ୬୧୯ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଭାରତ ୧,୦୮୧ଟି ମ୍ୟାଚ୍‌ ଖେଳି ୫୭୫ଟିରେ ବିଜୟୀ ହୋଇଛି। ପାକିସ୍ତାନ ୧,୦୦୨ଟି ମ୍ୟାଚ୍‌ ଖେଳି ୫୨୯ଟି ବିଜୟ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଘରୋଇ ମାଟିରେ ବିଜୟ କ୍ଷେତ୍ରରେ ମଧ୍ୟ ଅଷ୍ଟ୍ରେଲିଆ ଆଗରେ ରହିଛି। ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ୨୯୮ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତ ୨୩୫ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ବିଦେଶ ମାଟିରେ ବିଜୟ କ୍ଷେତ୍ରରେ କିନ୍ତୁ ପାକିସ୍ତାନ ଭାରତଠାରୁ ଆଗରେ ରହିଛି। ପାକିସ୍ତାନ ବିଦେଶରେ ୩୯୫ଟି ଦିନିକିଆ ମ୍ୟାଚ୍‌ ଜିତିଥିବା ବେଳେ ଭାରତ ୩୪୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି।ଦିନିକିଆ ବିଶ୍ୱକପ ମ୍ୟାଚ୍‌ ଇତିହାସରେ ମଧ୍ୟ ଅଷ୍ଟ୍ରେଲିଆର ପ୍ରଭାବ ଅନନ୍ୟ। ଏପର୍ଯ୍ୟନ୍ତ ବିଶ୍ୱକପ୍‌ର ୧୩ଟି ସଂସ୍କରଣ ଖେଳାଯାଇଛି। ଏଥିରୁ ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର ଟ୍ରଫି ଜିତିଛି। ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦୁଇ ଥର ଲେଖାଏଁ ବିଶ୍ୱଚାମ୍ପିଅନ୍‌ ହୋଇଛନ୍ତି।

Leave a comment