ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍: ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା
ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ସଭିଙ୍କ ନଜର ରାଜସ୍ଥାନର ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଲକ୍ଷ୍ନୌର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ମଧ୍ୟରେ ମୁକାବିଲା ଉପରେ ରହିବ। ଲକ୍ଷ୍ନୌ ଟିମ୍ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ ଏବଂ ରାଜସ୍ଥାନ ମଧ୍ୟ ପୁଣି ଥରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ।
ମହମ୍ମଦ ଶାମି ଚଳିତ ଆଇପିଏଲରେ ଲୟରେ ଥିବା ବେଳେ ଲଗାତାର ନିଜର ଟିମ୍ ପାଇଁ ପାଓ୍ଵାରପ୍ଲେରେ ଓ୍ଵିକେଟ୍ ନେଉଛନ୍ତି। ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀ ଗତ ଦୁଇଟି ମ୍ୟାଚରେ ଶସ୍ତାରେ ଆଉଟ୍ ହୋଇଥିଲେ ହେଁ ନିଜ ଟିମକୁ ଦମଦାର ଆରମ୍ଭ ଦେଉଛନ୍ତି। ସେ ଯଶପ୍ରୀତ ବୁମରାଙ୍କ ପ୍ରଥମ ବଲରେ ଛକା ମାରି ସାରିଛନ୍ତି। ଜୋଶ ହାଜେଲଉଡଙ୍କୁ ମଧ୍ୟ ଚୌକା ମାରିଛନ୍ତି।ଏମିତିରେ ଏବେ ସଭିଙ୍କ ନଜର ଶାମି ବନାମ ସୂର୍ଯ୍ୟବଂଶୀଙ୍କ ଲଢେଇ ଉପରେ ରହିବ।
ଆଇପିଏଲ୍ ୨୦୨୬ର ଅଙ୍କ ତାଲିକା ଉପରେ ନଜର ପକାଇଲେ ରାଜସ୍ଥାନ ଟପ୍-୪ରେ ରହିଛି। ଦଳ ୬ଟି ମ୍ୟାଚରୁ ୪ଟି ଜିତି ଚତୁର୍ଥ ସ୍ଥାନରେ ରହିଛି। ଲକ୍ଷ୍ନୌ ୬ଟିରୁ ମାତ୍ର ୨ଟି ମ୍ୟାଚ୍ ଜିତିଛି। ଯଦି ଲକ୍ଷ୍ନୌ ଆଜିର ମ୍ୟାଚ୍ ହାରିଯାଏ ତେବେ ଆଗକୁ ଯିବା ବହୁତ କଠିନ ହୋଇଯିବ। କାରଣ ପ୍ଲେ ଅଫକୁ ଯିବା ପାଇଁ ହେଲେ ଲକ୍ଷ୍ନୌକୁ ପ୍ରତିଟି ମ୍ୟାଚ୍ ଜିତିବାକୁ ପଡ଼ିବ।
ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ବ୍ୟାଟିଂ ବଡ଼ ସମସ୍ୟା ପାଲଟିଛି। ଅଧିନାୟକ ଋଷଭ ପନ୍ତଙ୍କ ସମେତ ମିଚେଲ୍ ମାର୍ଶ, ନିକୋଲାସ ପୂରନ ଓ ଆଡନ ମାରକ୍ରମଙ୍କ ବ୍ୟାଟରୁ ଆଶାନୁରୂପ ରନ ଆସୁନାହିଁ। ଏହି କାରଣରୁ ଲକ୍ଷ୍ନୌର ପ୍ରଦର୍ଶନ ବହୁତ ନିରାଶଜନକ ରହିଛି। ଅନ୍ୟପଟେ ରାଜସ୍ଥାନ ଲଗାତାର ୪ଟି ମ୍ୟାଚ୍ ଜିତିଥିଲେ ହେଁ ଗତ ଦୁଇଟି ମ୍ୟାଚରେ ଦଳର ଦୁର୍ବଳତା ପଦାକୁ ଆାସିଛି। ଆଜି ଆଇପିଏଲରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯିବ।