IPL ୨୦୨୬ ର ୧୦ମ ମ୍ୟାଚ- ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୫ ଓ୍ୱିକେଟରେ ଏସଆରଏଚକୁ ପରାସ୍ତ କରିଛି
ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଏବଂ ସନରାଇଜର୍ସ୍ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଲକ୍ଷ୍ନୌ ବାଜିମାରିନେଇଛି । ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୫ ଓ୍ୱିକେଟରେ ଏସଆରଏଚକୁ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଦଳ ନିର୍ଧାରିତ ୨୦ ଓଭରରେ ୧୫୬ ରନ୍ କରିଥିଲା । ୧୫୭ ରନର ବିଜୟ ଲକ୍ଷ୍ୟକୁ ଏଲଏସଜି ୫ ଓ୍ୱିକେଟ୍ ବାକିଥାଇ ଜିତି ନେଇଛି । ମ୍ୟାଚରେ ଲକ୍ଷ୍ନୌ ତରଫରୁ ଋଷଭ ପନ୍ତ ହାଫ୍ ସେଞ୍ଚୁରୀ ଲଗାଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ ।
ଚାଲିଲା ବ୍ୟାଟ୍ ମାରକ୍ରମ୍ ଏବଂ ପନ୍ତଙ୍କ ବ୍ୟାଟ୍
ବିଜୟ ଲକ୍ଷ୍ୟକୁ ଚେଜ୍ କରିବାକୁ ଓହ୍ଲାଇଥିବା ଏଲଏସଜି ଶୀଘ୍ର ମିଚେଲ୍ ମାର୍ଶଙ୍କ ଓ୍ୱିକେଟ୍ ହରାଇଥିଲା । କିନ୍ତୁ ଏଡେନ୍ ମାରକ୍ରମ୍ ଏବଂ ଋଷଭ ପନ୍ତ ଦଳର ସ୍କୋରକୁ ଆଗକୁ ନେଇଥିଲେ । ମାରକ୍ରମ୍ ୪୫ ରନ୍ କରି ଶିବାଙ୍ଗ୍ କୁମାରଙ୍କ ଦ୍ୱାରା ଶିକାର ହୋଇଥିଲେ । କିନ୍ତୁ ପନ୍ତ ଆରମ୍ଭରୁ ଧିମା ଖେଳିଥିଲେ ବି ଶେଷ ଯାଏଁ ରହି ଦଳକୁ ଜିତାଇଥିଲେ । ସେ ୫୦ ବଲରୁ ୬୮ ରନ୍ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ନୌ ବ୍ୟାଟର୍ ଆୟୁଷ ବଦୋନୀ ୧୨ ରନ୍ କରିଥିବା ବେଳେ ନିକୋଲାସ ପୂରନ୍ ମାତ୍ର ଏକ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଅବ୍ଦୁଲ ସମାଦ ୧୬ ରନ୍ କରିଥିଲେ । ତେବେ ପନ୍ତ ଦଳୀୟ ସ୍କୋରକୁ ଆଗକୁ ନେଇଥିଲା । ଏହାସହ ଅର୍ଧ ଶତକ ହାସଲ କରିବା ସହ ଟିମକୁ ବିଜୟୀ କରାଇଥିଲେ । ତେବେ ଏହି ବିଜୟ ସହ ପନ୍ତ ସେନା ଚଳିତ ଆଇପିଏଲରେ ନିଜର ପ୍ରଥମ ବିଜୟ ହାସଲ କରିଛି । ହାଇଦ୍ରାବାଦ ପକ୍ଷରୁ ହର୍ଷ ଦୁବେ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ଇଶାନ ମାଲିଙ୍କା ଏବଂ ଶିବାଙ୍ଗ କୁମାର ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ ।
ପ୍ରଥମ ଇନିଂସରେ ହାଇଦ୍ରାବାଦର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ
ହାଇଦ୍ରାବାଦ୍ ପାଇଁ ଓପନିଂ ଯୋଡିରେ ବ୍ୟାଟିଂ କରିବାକୁ ଆସିଥିଲେ ଟ୍ରେଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା । ଉଭୟଙ୍କଠୁ ବଡ ସ୍କୋର ଆଶା କରୁଥିଲେ ଫ୍ୟାନ୍ସ । କିନ୍ତୁ ଖାତା ଖୋଲି ପାରିନଥିଲେ ଅଭିଷେକ । ବିନା କୌଣସି ରନରେ ସେ ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ପରେ ହେଡ୍ ମଧ୍ୟ ମହମ୍ମଦ ସାମିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ସେହିପରି ଅଧିନାୟକ ଇଶାନ କିଷାନ ମଧ୍ୟ ମାତ୍ର ଏକ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।
କ୍ଲାସେନ-ନୀତିଶଙ୍କ ଦମଦାର୍ ବ୍ୟାଟିଂ
ଏସଆରଏଚ୍ ପକ୍ଷରୁ ହେନରିକ୍ କ୍ଲାସେନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଟପ୍ ଅର୍ଡର ଭୁଶୁଡିଥିଲେ ମଧ୍ୟ ମିଡିଲ ଅର୍ଡରରେ କ୍ଲାସେନଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ସେ ୪୧ ବଲରୁ ୬୨ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ବ୍ୟତୀତ ନୀତିଶ କୁମାର ରେଡ୍ଡି ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ । ନୀତିଶ ୫୬ ରନ୍ କରିଥିଲେ । କ୍ଲାସେନ୍ ୧୮ ଓଭର ଯାଏଁ କ୍ରିଜରେ ରହି ଏସଆରଏଚ୍ ପାଇଁ ଲଢୁଆ ସ୍କୋର ଛିଡା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଆମ୍ ଲିଭିଂଷ୍ଟୋନ୍ ଏବଂ ହର୍ଷ ଦୁବେ ଯଥାକ୍ରମେ ୧୪ ଏବଂ ୦ ରନ୍ କରିଥିଲେ । ନୀତିଶ ଏବଂ କ୍ଲାସେନ୍ ଆଉଟ୍ ହେଲା ପରେ ଅନ୍ୟ କୌଣସି ବ୍ୟାଟର ଲକ୍ଷ୍ନୌ ବୋଲରଙ୍କ ମୁକାବିଲା କରିପାରିନଥିଲେ । ଫଳରେ ଦଳ ନିର୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୧୫୬ ରନ୍ କରିବାରେ ସକ୍ଷମ ହୋଇଥିଲା ।