ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୫୬ତମ ମ୍ୟାଚ୍‌ : ସନରାଇଜର୍ସ ହାଇଦ୍ରାବାଦକୁ ୮୨ ରନ୍‌ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୫୬ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଦମଦାର ବ୍ୟାଟିଂ ଏବଂ ବୋଲିଂ କରିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦକୁ ୮୨ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସାଈ ସୁଦର୍ଶନ ଏବଂ ୱାସିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଗୁଜରାଟ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ସ୍କୋର ୧୬୮ ରନ୍‌ କରିଥିଲା। ଅନ୍ୟପଟରେ ହାଇଦ୍ରାବାଦର ସମସ୍ତ ୱିକେଟ ୧୪.୫ ଓଭରରେ ନେଇଥିଲା। ହାଇଦ୍ରାବାଦ ମାତ୍ର ୮୬ ରନ୍‌ ସଂଗ୍ରହ କରି ୮୨ ରନ୍‌ରେ ପରାସ୍ତ ହୋଇଥିଲା। ଗୁଜରାଟ ପାଇଁ କାଗିସୋ ରାବଡ଼ା ଏବଂ ଜେସନ ହୋଲ୍ଡର ୩-୩ ୱିକେଟ୍‌ ନେଇଥିଲେ। ପ୍ରସିଦ୍ଧ କୃଷ୍ଣାଙ୍କୁ ୨ଟି ୱିକେଟ ମିଳିଥିଲା। ମହମ୍ମଦ ସିରାଜ ଏବଂ ରସିଦ ଖାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଗୁଜରାଟର ପ୍ରାରମ୍ଭିକ ବ୍ୟାଟିଂ ବିପପର୍ଯ୍ୟୟ ରହିଥିଲା। ଅଧିନାୟକ ଶୁବମନ ଗିଲ (୫ରନ୍‌) ଏବଂ ଜୋସ ବଟଲର (୭ରନ୍‌) ଶସ୍ତାରେ ଆଉଟ୍‌ ହୋଇଥିଲେ। ସ୍କୋର ୧୫ ରନ୍‌ରେ ହାଇଦ୍ରାବାଦ ପ୍ରଥମ ଏବଂ ୨୬ ରନ୍‌ରେ ଦ୍ବିତୀୟ ୱିକେଟ୍‌ ଅକ୍ତିଆର କରିଥିଲା। ସେହିପରି ୬୪ ରନ୍‌ ବେଳକୁ ଗୁଜରାଟ ତୃତୀୟ ୱିକେଟ୍‌ ଭାବେ ନିଶାନ୍ତ ସିଦ୍ଧୁ (୨୨ରନ୍‌)ଙ୍କୁ ହରାଇଥିଲା।

ଗୁଜରାଟ ପାଇଁ ପ୍ରାରମ୍ଭିକ ବ୍ୟାଟର ସାଈ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍‌ ଖେଳିଥିଲେ। ଏଥିରୁ ସେ ୫ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ମଧ୍ୟକ୍ରମର ବ୍ୟାଟର ୱାସିଂଟନ୍‌ ସୁନ୍ଦର ୩୩ଟି ବଲ୍‌ ଖେଳି ୭ଟି ଚୌକା ଏବଂ ଗୋଟିଏ ଛକା ବଳରେ ୫୦ ରନ୍‌ ସଂଗ୍ରହ କରିଥିଲେ। ଜେସନ ହୋଲ୍ଡର (୧୧ ରନ୍‌) ଏବଂ ରାହୁଲ ତେୱାତିଆ (୪ରନ୍‌) ଅପରାଜିତ ଫେରିଥିଲେ।
ହାଇଦ୍ରାବାଦ ପାଇଁ ପ୍ରଫୁଲ ହିଙ୍ଗେ ଏବଂ ସାକିବ ହୁସେନ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

Leave a comment