ଆଇପିଏଲ୍ ଅଷ୍ଟମ ମ୍ୟାଚ୍ : ଆୟୋଜକ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ଵିକେଟରେ ହରାଇଛି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି। ୧୬୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍ ୧୮.୧ ଓଭରରେ ୪ଟି ୱିକେଟ୍ ହରାଇ ୧୬୪ ରନ୍ କରିଛି। ଦଳ ପାଇଁ ସମୀର ରିଜ୍ଭି ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୫୧ଟି ବଲ୍ ଖେଳି ୯୦ ରନ୍ କରିଥିଲେ, ଯେଉଁଥିରେ ୭ଟି ଚୌକା ଏବଂ ୭ଟି ଛକା ସାମିଲ କରିଥିଲେ।
ଏଥି ସହିତ ଦିଲ୍ଲୀ ଟିମ୍ ଚଳିତ ଆଇପିଏଲ୍ ସଂସ୍କରଣର ପଏଣ୍ଟ ଟେବୁଲ୍ରେ ଶୀର୍ଷସ୍ଥାନ ଛୁଇଁଛି। ଦିଲ୍ଲୀ ଟିମ୍ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳିଛି। ଉଭୟ ମ୍ୟାଚ୍ରେ ବିଜୟ ହାସଲ କରି +୧.୧୭୦ ପଏଣ୍ଟ ହାସଲ କରିଛି। ଦିଲ୍ଲୀ ତଳକୁ ପଞ୍ଜାବ (+୦.୬୩୭) ରହିଛି।
ଆୟୋଜକ ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ମୁମ୍ବାଇ ବ୍ୟାଟିଂ କରିଥିଲା। ନିଜେ ସୂର୍ଯ୍ୟକୁମାର ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରାୟନ ରିକ୍ଲେଟନ୍ ଏବଂ ରୋହିତ ଶର୍ମା ଇନିଂସ ଆରମ୍ଭ କରିଥିଲେ। ମାତ୍ର ଦଳକୁ ଖୁବ୍ ଶୀଘ୍ର ପ୍ରଥମ ଝଟକା ଲାଗିଥିଲା। ସ୍କୋର ୧୮ ରନ୍ରେ ରିକ୍ଲେଟନ୍ ଆଉଟ୍ ହୋଇଥିଲେ। ସେ ବ୍ୟକ୍ତିଗତ ଭାବେ ୧୧ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୯ ରନ୍ କରିଥିଲେ। ଏହା ପରେ ବିସ୍ଫୋରକ ବ୍ୟାଟର ତିଲକ ବର୍ମା ପଡ଼ିଆକୁ ଆସିଥିଲେ। କିନ୍ତୁ ସେ ମଧ୍ୟ କ୍ରିଜ୍ରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ମାତ୍ର ୨ଟି ବଲ୍ ଖେଳି ଆଉଟ୍ ହୋଇଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ବ୍ୟକ୍ତିଗତ ରନ୍ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍ ଖେଳି ୩ଟି ଚୌକା ଏବଂ ୨ଟି ଛକା ବଳରେ ୫୧ ରନ୍ କରିଥିଲେ। ସୂର୍ଯ୍ୟକୁମାରଙ୍କ ପରେ ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ସ୍କୋର ଥିଲା ଦ୍ବିତୀୟ ବଡ଼ ଉଦ୍ୟମ। ରୋହିତ ୨୬ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ନମନ ଧୀର ୨୧ଟି ବଲ୍ ଖେଳି ୨୮ ରନ୍ ସଂଗ୍ରହ କରିଥିଲେ।
ମିଚେଲ ସାଣ୍ଟନର ଅପରାଜିତ ୧୮ ରନ୍ ସଂଗ୍ରହ କରିଥିଲେ। ସେ ୧୩ଟି ବଲ୍ ଖେଳି ଦଳୀୟ ସ୍କୋରରେ ୧୮ ରନ୍ ଯୋଡ଼ିଥିଲେ। ଏଥିରେ ୨ଟି ଚୌକା ମଧ୍ୟ ସାମିଲ କରିଥିଲେ। କୋର୍ବିନ ବୋସ୍ଚ ଅପରାଜିତ ୧୧ ରନ୍ ସଂଗ୍ରହ କରିଥିଲେ। ସେ ୪ଟି ବଲ୍ ଖେଳି ୨ଟି ଚୌକା ମାରିଥିଲେ। ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ୍ ନେଇଥିଲା ବେଳେ ଲୁଙ୍ଗି ଏନ୍ଗିଡି, ଅକ୍ଷର ପଟେଲ, ବିପ୍ର ନିଗମ ଏବଂ ଏନ୍ ନଟରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।