ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୬୩ତମ ମ୍ୟାଚ୍: ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କଲା ହାଇଦ୍ରବାଦ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୬୩ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ସନରାଇଜର୍ସ ହାଇଦ୍ରବାଦ ୫ ୱିକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ହାଇଦ୍ରାବାଦର ବ୍ୟାଟର ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ବିଜୟୀ କରାଇଛନ୍ତି।
ହାଇଦ୍ରାବାଦ ୧୮୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଅଭିଷେକ ଶର୍ମା ଏବଂ ଟ୍ରାଭିସ ହେଡ୍ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ପ୍ରାରମ୍ଭିକ ବ୍ୟାଟର ଦ୍ବୟ୧୮ ରନ୍ର ଭାଗିଦାରୀ କରିପାରିଥିଲେ। ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ୍ଙ୍କ ବ୍ୟାଟ ଚାଲି ନଥିଲା। ସେ ମାତ୍ର ୬ ରନ୍ ସଂଗ୍ରହ କରିପାରିଥିଲେ। ଚେନ୍ନାଇର ଦ୍ବିତୀୟ ଶିକାର ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଆଉଟ୍ ହେବା ପୂର୍ବରୁ ଦଳ ପାଇଁ ୨୬ ରନ୍ ଯୋଡ଼ିଥିଲେ, ଯେଉଁଥିରେ ସେ ୩ଟି ଚୌକା ଏବଂ ଗୋଟିଏ ଛକା ସାମିଲ କରିଥିଲେ।
ହାଇଦ୍ରାବାଦ ପାଇଁ ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ନିଜର ଅର୍ଦ୍ଧଶତକ (୭୦ରନ୍) ବଳରେ ଦଳକୁ ବିଜୟ ଦେବାରେ ବଡ଼ ଭୂମିକା ତୁଲାଇଥିଲେ। ସେହିପରି ହେନ୍ରିକ କ୍ଲାସେଁ ୨୬ଟି ବଲ୍ ଖେଳି ୪୭ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା।
ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଟସ୍ ଜିଣି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇ ପାଇଁ ସଂଜୁ ସାମସନ ଏବଂ ଅଧିନାୟକ ଋତୁରାଜ ଗାଏକ୍ବାର୍ଡ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୩୧ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ସଂଜୁ ସାମସନଙ୍କ ବ୍ୟକ୍ତିଗତ ୨୭ ରନ୍ ଥିଲା, ଯିଏକି ୧୩ଟି ବଲ୍ ସାମ୍ନା କରି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଚେନ୍ନାଇର ସ୍କୋର ୪୮ ରନ୍ରେ ହାଇଦ୍ରାବାଦର ଦ୍ବିତୀୟ ଶିକାର ହୋଇଥିଲେ ଉର୍ଭିଲ ପଟେଲ (୧୩ ରନ୍)।
କାର୍ତ୍ତିକ ଶର୍ମା ଦଳର ତୃତୀୟ ଭାବେ ଆଉଟ୍ ହୋଇଥିଲେ। ସେ ବ୍ୟକ୍ତିଗତ ଭାବେ ୧୯ଟି ବଲ୍ ଖେଳି ୩ଟି ଚୌକା ଏବଂ ୨ଟି ଛକା ବଳରେ ୩୨ ରନ୍ ସଂଗ୍ରହ କରିଥିଲେ। ଚେନ୍ନାଇ ପାଇଁ ଡେୱାଲ୍ଡ ବ୍ରେଭିସ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୭ଟି ବଲ୍ରୁ ୪୪ ରନ୍ କରିଥିଲେ, ଯେଉଁଥିରେ ୨ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ଶିଭବ ଦୁବେ ୨୬ ରନ୍ କରିଥିଲେ। ଏଥି ପାଇଁ ୨୩ଟି ବଲ୍ ସାମ୍ନା କରି ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଅଧିନାୟକ ଋତରାଜ ଗାଏକ୍ବାର୍ଡ ୧୫ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୨୧ଟି ବଲ୍ର ସାମ୍ନା କରିଥିଲେ। ପ୍ରଶାନ୍ତ ବୀର (୧୧ରନ୍) ଓ ଅକିଲ ହୁସେନ (୩ରନ୍) ଅପରାଜିତ ଫେରିଥିଲେ।
ହାଇଦ୍ରାବାଦ ପାଇଁ ଅଧିନାୟକ ପେଟ୍ କମିନ୍ସ ସର୍ବାଧିକ ୱିକେଟ୍ ନେଇଥିଲେ। ସେ ୪ ଓଭର ବୋଲିଂ କରି ୨୮ ରନ୍ ଖର୍ଚ୍ଚ କରିଥିଲେ। ସାକିବ ହୁସେନ ୨ଟି, ପ୍ରଫୁଲ୍ଲ ହିଙ୍ଗେ ଏବଂ ଇଶାନ ମାଲିଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।