ଚାମ୍ପିଅନ୍ସ ଟ୍ରଫି : ଯୁବ ତାରକା ଜୟସ୍ବାଲଙ୍କୁ ମିଳିଲା ସୁଯୋାଗ

ପାକିସ୍ତାନ ଓ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଲାଗି ଶନିବାର ପ୍ରାଥମିକ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଇସିସି ନିର୍ଦ୍ଧାରିତ କରିଥିବା ଶେଷ ତାରିଖର ଗୋଟିଏ ସପ୍ତାହ ପରେ ଘୋଷଣା କରାଯାଇଥିବା ଏହି ବହୁପ୍ରତୀକ୍ଷିତ ଦଳରେ ରୋହିତ ଶର୍ମା ଅଧିନାୟକ ପଦ ବଜାୟ ରଖିଛନ୍ତି। ଭବିଷ୍ୟତକୁ ଆଖି ଆଗରେ ରଖି ଯୁବ ତାରକା ଶୁବମନ ଗିଲ୍ ପୁନର୍ବାର ଉପଅଧିନାୟକ ଅବସ୍ଥାପିତ ହୋଇଛନ୍ତି। ସେହିଭଳି ୨୦୨୩ ଏକଦିବସୀୟ ବିଶ୍ବକପ୍ ପରେ ପ୍ରଥମ ଥର ଲାଗି ଅଭିଜ୍ଞ ଦ୍ରୁତ ବୋଲର  ମହମ୍ମଦ ସାମି ଭାରତୀୟ ଦଳକୁ ଫେରିଛନ୍ତି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର୍ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ତାରକା ଯଶସ୍ବୀ ଜୟସ୍ବାଲ୍ ପ୍ରଥମ ଥର ଲାଗି ଦିନିକିଆ ଦଳରେ ସାମିଲ ହୋଇଛନ୍ତି।  ତାଙ୍କ ପାଇଁ ଏହା ବହୁତ ବଡ଼ ଖୁସି ଖବର ହୋଇଥିଲା ବେଳେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କିନ୍ତୁ ସୁଯୋଗ ମିଳିନି। ଏଣୁ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି।

ସିରାଜଙ୍କ ସ୍ଥାନରେ ଚୟନକର୍ତ୍ତା ପଞ୍ଜାବର ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ପୁରୁଣା ବଲ୍‌ରେ ସିରାଜ ସେତେଟା ଭଲ କରୁନଥିବାରୁ ତାଙ୍କୁ ଦଳରେ ରଖିବା ସମ୍ଭବ ହେଲାନି। ‌‌ହେଲେ ଶେଷ ଓଭରଗୁଡ଼ିକରେ ଶାଣିତ ବୋଲିଂ କରିବାର ଦକ୍ଷତା ଅର୍ଶଦୀପଙ୍କ ସପକ୍ଷରେ ଗଲା ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ସେପଟେ ପୂରା ଫିଟ୍ ନଥିଲେ ମଧ୍ୟ ଡିସେମ୍ବର ମାସରେ ଆଇସିସିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ନିଜ ସ୍ଥାନ ବଜାୟ ରଖିଛନ୍ତି। ପ୍ରାଥମିକ ଦଳରେ ଅଦଳବଦଳ କରିବା‌ ଲାଗି ଆଇସିସି ଫେବ୍ରୁଆରି ୧୨ ପର୍ଯ୍ୟନ୍ତର ଝରକା ପ୍ରଦାନ କରିଥିବାରୁ ତାଙ୍କୁ ନେଇ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ ସମିତି ବଡ଼ ଜୁଆ ଖେଳିଥିବା‌ ଜଣାପଡ଼ିଛି। ଅବଶ୍ୟ ବୁମ୍‌ରା ଚୂଡ଼ାନ୍ତ ଦଳରେ ରହିବା ତାଙ୍କ ଫିଟ୍‌ନେସ୍  ଉପରେ ନିର୍ଭରଶୀଳ ରହିବ ବୋଲି ସମିତି ସ୍ପଷ୍ଟ କରି ଦେଇଛି। ପ୍ରକାଶଯୋଗ୍ୟ ଯେ ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଖେଳାଯିବ। ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସହ ଗ୍ରୁପ୍‌-ଏ’ରେ ଥିବା ଭାରତ ଫେବ୍ରୁଆରି ୨୦ରେ ବାଂଲାଦେଶ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ।