ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ଜାନୁଆରୀ ୨୨ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶନିବାରଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଭାରତୀୟ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ମହମ୍ମଦ ଶାମି ୧୪ ମାସ ପରେ ଭାରତୀୟ ଦଳକୁ ଫେରିଛନ୍ତି।
୨୦୨୩ ODI ବିଶ୍ୱକପ୍ ଫାଇନାଲ ପରଠାରୁ ଶାମି ଭାରତୀୟ ଦଳରୁ ବାହାରେ ରହିଥିଲେ। ସେ ବିଶ୍ୱକପ୍ ସମୟରେ ଆହତ ହୋଇଥିଲେ ଏବଂ ପରେ ତାଙ୍କର ଗୋଡ଼ର ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ସେ ଘରୋଇ କ୍ରିକେଟକୁ ଫେରିଥିଲେ। ମଝିରେ ଖବର ଆସିଥିଲା ଯେ ଏହି ଦ୍ରୁତ ବୋଲର ବର୍ଡର ଗାଭାସ୍କର ଟ୍ରଫି ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ। କିନ୍ତୁ, ଫିଟନେସ୍ କାରଣରୁ ଏହା ସମ୍ଭବ ହୋଇପାରିନଥିଲା। ଏବେ ଶାମିଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଦଳକୁ ଫେରିଛନ୍ତି ଏହି ୩୪ ବର୍ଷୀୟ ବୋଲର। ଏପରି ପରିସ୍ଥିତିରେ, ଚୟନକର୍ତ୍ତାମାନେ ତାଙ୍କ ପ୍ରଦର୍ଶନ ଏବଂ ଫର୍ମ ଉପରେ ନଜର ରଖିବେ। ଟି-୨୦ ସିରିଜ ବ୍ୟତୀତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ, ଯାହା ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରିନାହିଁ।