ସ୍ଥାନାନ୍ତର ହେବ ନାହିଁ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଡିସେମ୍ବର ୧୩ରେ ଦିଲ୍ଲୀରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ ସ୍ଥାନାନ୍ତର ହେବ ନାହିଁ। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏହା ସୋମବାର ସ୍ପଷ୍ଟ କରିଛନ୍ତି। ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ମ୍ୟାଚ୍ଟି ଅହମଦାବାଦକୁ ସ୍ଥାନାନ୍ତର ହୋଇପାରେ ବୋଲି ଖବରକୁ ସେ ଖଣ୍ଡନ କରିଛନ୍ତି। ଶ୍ରୀଲଙ୍କା ଡିସେମ୍ବରରେ ଭାରତ ଗସ୍ତରେ ଆସି ୩ଟି ଲେଖାଏଁ ଦିନିକିଆ ଓ ଟି୨୦ ମ୍ୟାଚ୍ ଖେଳିବ। ଏହି ସୀମିତ ଓଭର୍ ସିରିଜ୍ର ପ୍ରଥମ ଦିନିକିଆ ଦିଲ୍ଲୀରେ ଖେଳାଯିବାକୁ ସ୍ଥିର ହୋଇଛି। ଷ୍ଟାଡିୟମ୍ରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏହି ମ୍ୟାଚ୍ ପାଇଁ ଅହମ୍ମଦାବାଦକୁ ବିକଳ୍ପ ଭେନ୍ୟୁ ଭାବେ ବିଚାର କରା ଯାଇପାରେ ବୋଲି କୁହା ଯାଇଥିଲା। ଶୃଙ୍ଖଳାର ୩ୟ ତଥା ଶେଷ ଦିନିକିଆ ଅହମ୍ମଦାବାଦରେ ଖେଳାଯିବ। ପ୍ରଥମ ଦିନିକିଆର ସ୍ଥାନ ପରିବର୍ତ୍ତନ ନେଇ ବିସିସିଆଇ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସାଇକିଆ ସ୍ପଷ୍ଟ କରିଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଡିସେମ୍ବରରେ ହେବାକୁ ଥିବା ଏହି ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍ ଖେଳାଯିବ। ଡିସେମ୍ବର ୧୩ରେ ଦିଲ୍ଲୀରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ପରେ ୧୬ରେ ବେଙ୍ଗାଲୁରୁରେ ୨ୟ ଓ ୧୯ରେ ଅହମଦାବାଦରେ ୩ୟ ଦିନିକିଆ ଖେଳାଯିବ। ପରେ ୩-ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳାଯିବ। ଡିସେମ୍ବର ୨୨ରେ ରାଜକୋଟରେ ପ୍ରଥମ, ୨୪ରେ କଟକରେ ୨ୟ ଓ ୨୭ରେ ପୁଣେରେ ତୃତୀୟ ଟି୨୦ ମ୍ୟାଚ୍ ସହ ଶ୍ରୀଲଙ୍କା ଗସ୍ତ ଶେଷହେବ।