ଏସିଆ କପ୍- ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲେ ଭାରତ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍ ସିନ୍ଦୂରର ସଫଳତା ପରେ କ୍ରିକେଟ୍ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ଚଳିତ ଏସିଆ କପ୍ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟ୍ରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି। ଭାରତୀୟ ବୋଲରମାନେ ପାକିସ୍ତାନକୁ ୧୨୭/୯ରେ ରୋକିଦେବା ପରେ ଜନ୍ମଦିନରେ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ପାଳି (୩୭ ବଲ୍ରୁ ୪୭* ରନ୍) ଭାରତକୁ ସହଜ ବିଜୟ ଦେଇଛି। ପୂର୍ବରୁ ଶୁବମନ ଗିଲ୍ (୧୦) ଶସ୍ତାରେ ଆଉଟ୍ ହୋଇଯିବା ପରେ ଅଭିଷେକ ଶର୍ମା (୧୩ ବଲ୍ରୁ ୩୧ ରନ୍) ଏବଂ ତିଳକ ବର୍ମା (୩୧ ବଲ୍ରୁ ୩୧ ରନ୍) ପାଲଟା ପାଳି ଖେଳିଥିଲେ। କୁଲଦୀପ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଆତଙ୍କବାଦକୁ ପାକିସ୍ତାନର ନିରନ୍ତର ଓ ନିରବଚ୍ଛିନ୍ନ ସମର୍ଥନ ପାଇଁ ବିବାଦ, ବିତର୍କ ଓ ବର୍ଜନର ଆହ୍ବାନ ଭିତରେ ଆରମ୍ଭ ହୋଇଥିଲା ଏହି ହାଇଭୋଲ୍ଟେଜ୍ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାର ପ୍ରଭାବ ଯେ ଉଭୟ ଦେଶର ଖେଳାଳିଙ୍କ ଉପରେ ପଡ଼ିଛି, ତାହା ବି ଟସ୍ ପଡ଼ିବା ବେଳକୁ ହିଁ ସ୍ପଷ୍ଟ ହୋଇଯାଇଥିଲା। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ତାଙ୍କ ପ୍ରତିପକ୍ଷ ସଲମାନ ଆଗାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରି ପରୋକ୍ଷରେ ପାକିସ୍ତାନ ଆଚରଣକୁ କଟାକ୍ଷ କରିଥିଲେ। ପୁଣି ଆଗା ଦୁବାଇ ପିଚ୍ର ପରମ୍ପରା ବିପରୀତ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେବା ସୂର୍ଯ୍ୟଙ୍କୁ ତାଙ୍କ ଜନ୍ମଦିନର ଉପହାର ଭଳି ଥିଲା। ହାର୍ଦିକ ପାଣ୍ଡ୍ୟା ୱାଇଡ୍ ବଲ୍ରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ବୈଧ ବଲ୍ରେ ହାର୍ଦିକ ପାକିସ୍ତାନ ଓପନର୍ ସୈମ ଆୟୁବଙ୍କୁ ଶିକାର କରିବା ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ଯଶପ୍ରୀତ୍ ବୁମ୍ରା ପରବର୍ତ୍ତୀ ଓଭରରେ ମହମ୍ମଦ ହାରିସଙ୍କ ୱିକେଟ୍ ନେବା ପରେ ପାକିସ୍ତାନ ମାତ୍ର ୬ ରନ୍ରେ ଦୁଇଟି ୱିକେଟ୍ ହରାଇ ଏକପ୍ରକାର ଆତ୍ମବିଶ୍ବାସ ହରାଇ ବସିଥିଲା। ଏହା ପରେ କୁଲଦୀପ ୟାଦବ ଓ ଅକ୍ଷର ପଟେଲ ତାଙ୍କ ସ୍ପିନ୍ ଯାଦୁ ଦେଖାଇ ଥିଲେ।