୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ର ଟ୍ରଫି ଉନ୍ମୋଚିତ

ସୋମବାର ଏକ ସ୍ବତନ୍ତ୍ର ଉତ୍ସବରେ ୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ର ଟ୍ରଫି ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍‌କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି। ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ। ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହା, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ, ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଆଇସିସିର ସିଇଓ ସଂଯୋଗ ଗୁପ୍ତା, ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ ଏବଂ ବର୍ତ୍ତମାନ ଭାରତୀୟ ଦଳର ୩ ବରିଷ୍ଠ ସଦସ୍ୟା ଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା ଓ ଜେମିମା ରଡ୍ରିଗ୍ବେଜ୍‌ ଉପସ୍ଥିତ ଥିଲେ। ଏହି ବିଶ୍ବକପ୍‌ରେ ୮ଟି ଦଳ ଖେଳିବେ। ରାଉଣ୍ଡ ରବିନ୍ ଲିଗ୍‌ ପରେ ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ। ଏହା ମହିଳା ଦିନିକିଆ ବିଶ୍ବକପ୍‌ର ୧୩ଶ ସଂସ୍କରଣ। ଭାରତ ୪ର୍ଥ ଥର ଏହି ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଛି। ଭାରତ ଅଦ୍ୟାବଧି ମହିଳା କ୍ରିକେଟରେ କୌଣସି ବିଶ୍ବ ଟାଇଟଲ ଜିତିପାରି ନାହିଁ।

ଏହି ବିଶ୍ବକପ୍‌ ଘରୋଇ ମାଟିରେ ଖେଳା ଯାଉଥିବାରୁ ଭାରତ ପାଇଁ ପ୍ରଥମ ଆଇସିସି ଟ୍ରଫି ଜିତବାର ସୁଯୋଗ ରହିଛି ବୋଲି ଅଧିନାୟିକା ହରମନପ୍ରୀତ କୌର କହିଥିଲେ। ତାଙ୍କ ଭାଷାରେ, ଆମେ ଭାରତୀୟଙ୍କ ଅପେକ୍ଷାର ଅନ୍ତଃ ଘଟାଇବାକୁ ପ୍ରୟାସ କରିବୁ। ବିଶ୍ବକପ୍‌ ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏବଂ ଦେଶ ପାଇଁ ବିଶ୍ବକପ୍‌ ଜିତିବା ଆମ ପାଇଁ ସ୍ବତନ୍ତ୍ର ହେବ। ଯୁବି ଭୈୟା (ଯୁବରାଜ ସିଂହ)ଙ୍କୁ ଦେଖିଲେ ଆମକୁ ବହୁତ ପ୍ରେରଣା ମିଳିଥାଏ। ସୂଚନାଯୋଗ୍ୟ; ୨୦୧୧ରେ ଭାରତକୁ ଦିନିକିଆ ବିଶ୍ବକପ୍ ଜିତାଇବାରେ ଯୁବରାଜଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଭାରତ ୨୦୦୫ ଓ ୨୦୧୭ରେ ଫାଇନାଲରେ ପହଞ୍ଚିଥିଲେ ହେଁ ଟ୍ରଫି ଜିତି ପାରିନଥିଲା। ଉପରୋକ୍ତ ବିଶ୍ବକପ୍‌ ପୂର୍ବରୁ ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଭାରତୀୟ ମହିଳା ଦଳ ଦିନିକିଆ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ଖେଳି ଦଳ ନିଜର ଦୋଷ ଦୁର୍ବଳତା ଜାଣିପାରିବ ଏବଂ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ହୋଇପାରିବ। ଏହି ଶୃଙ୍ଖଳା ବିଜୟ ଦଳକୁ ବହୁତ ଆତ୍ମବିଶ୍ବାସ ଦେବ। ଆମେ କଠିନ ଅଭ୍ୟାସ କରିଛୁ। ଫଳରେ ଇଂଲଣ୍ଡ ଗସ୍ତରେ ଆମେ ବିଜୟୀ ହୋଇଥିଲୁ। ଆଇସିସି ସିଇଓ ସଂଯୋଗ ଗୁପ୍ତା କହିଥିଲେ, ଗତ ୮ବର୍ଷ ହେଲା ଭାରତରେ ମହିଳା କ୍ରିକେଟ୍‌ରେ ବହୁତ ଉନ୍ନତି ଘଟିଛି। ଏଥର ଭାରତୀୟ ଦଳ ବିଶ୍ବକପ୍‌ରେ ଭଲ ଖେଳି ଟ୍ରଫି ଜିତିପାରିବ।

Leave a comment