ଆଜିଠୁ ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ

ଆଜିଠୁ ଭାରତ-ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଟସ୍‌‌ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ବାଂଲାଦେଶର ସ୍ପିନର। ନିକଟ ଅତୀତରେ ଭାରତୀୟ ବ୍ୟାଟିଂକ୍ରମ ସ୍ପିନରଙ୍କୁ ଖେଳିବାରେ ଅସୁବିଧାରେ ପଡ଼ିଥିଲେ। ତେବେ ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୃଢ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇଛି।

ଗତ ଏକ ଦଶନ୍ଧି ମଧ୍ୟରେ ଘରୋଇ ପରିବେଶରେ ଭାରତର ବିଜୟ-ପରାଜୟ ରେକର୍ଡ ୪୦-୪ ରହିଛି। ତାରକା ବ୍ୟାଟର ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ଉପସ୍ଥିତି ଯୋଗୁ ଏହା ସମ୍ଭବ ହୋଇପାରିଛି। ୨୦୧୫ଠାରୁ କୋହଲି ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ପ୍ରାୟ ସବୁ ଦଳ ବିପକ୍ଷରେ ସେ ଭଲ ଖେଳି ଆସୁଛନ୍ତି। ମାତ୍ର ୨୦୨୧ଠାରୁ ସ୍ପିନ୍‌ ବୋଲିଂ ବିପକ୍ଷରେ ତାଙ୍କ ପ୍ରଦର୍ଶନ ସେତେ ଭଲ ରହିନାହିଁ। ୧୫ ଟେଷ୍ଟରେ ଆଭରେଜ ମାତ୍ର ୩୦ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ବିଶେଷ କରି ୨୦୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଓପନରଭାବେ ପ୍ରମୋଶନ ପାଇବା ପରଠାରୁ ସ୍ପିନରଙ୍କ ବିପକ୍ଷରେ ତାଙ୍କ ଆଭରେଜ ୯୦ରୁ ଊର୍ଦ୍ଧ୍ୱ ରହିଛି। ମାତ୍ର ୨୦୨୧ଠାରୁ ଓଭରଅଲ୍‌ ତାଙ୍କର ପ୍ରଦର୍ଶନରେ ଅବନତି ଘଟିଛି। ୧୫ ମ୍ୟାଚରେ ତାଙ୍କ ଆଭରେଜ ୪୪ରେ ସୀମିତ ରହିଛି। ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟର ଲୋକେଶ ରାହୁଲ ମଧ୍ୟ ସ୍ପିନରଙ୍କ ବିପକ୍ଷରେ ଭଲ ଫର୍ମରେ ନାହାନ୍ତି। ଗତ ୩ ବର୍ଷ ମଧ୍ୟରେ ସେ ଘରୋଇ ପରିବେଶରେ ୫ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଥିବାବେଳେ ଆଭରେଜ ମାତ୍ର ୨୩.୪୦ ରହିଛି। ତେଣୁ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କୁ ସତର୍କତାର ସହ ଖେଳିବାକୁ ପଡ଼ିବ।